ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ ଗବେଷଣା ପାଇଁ ବାଲେଶ୍ୱରରେ ଏକ ଗବେଷଣାଗାର ପ୍ରତିଷ୍ଠା ଜରୁରୀ ବୋଲି ରକ୍ଷାବନ୍ଧନ ଉତ୍ସବରେ ଉପସ୍ଥିତ ଗବେଷକ ଓ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ବାଂଶୀ ବଜାରରେ ଗୁରୁବାର ନୀଳରକ୍ତ କଙ୍କଡ଼ାର ସୁରକ୍ଷାର ସଚେତନତା ପାଇଁ ତୃତୀୟ ବାର୍ଷିକ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟ ଜୈବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ମୁଖ୍ୟ ପ୍ରଫେସର ବିଷ୍ଣପ୍ରସାଦ ଦାସ ଯୋଗଦେଇ ବାଲେଶ୍ୱରରେ ଗବେଷଣାଗାର ପ୍ରତିଷ୍ଠା ହେଲେ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଓ ଗବେଷଣା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ବାଂଶୀ ୟୁଥ୍‌ କମିଟି ସଭାପତି ବରୁଣ କୁମାର ସାହୁ ଏହି ଉତ୍ସବରେ ପୌରୋହିତ୍ୟ କରିଥିଲେ। ମୁଖ୍ୟବକ୍ତା ଅମର୍ଦ୍ଦା ସିଦ୍ଧେଶ୍ୱର ମହାବିଦ୍ୟାଳୟର ପ୍ରାଧ୍ୟାପକ ଓ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ସମ୍ମାନନୀୟ ଅତିଥି ଭାବେ ଆସୋସିଏଶନ ଫର୍‌ ବାୟୋଡାଇଭର୍ସିଟି କଞ୍ଜରଭେଶନର ନିର୍ଦ୍ଦେଶକ ଓ. ସିଦ୍ଧାର୍ଥ ପତି, ହର୍ସ କ୍ରାବ ଫାଉଣ୍ଡେଶନର ନିର୍ଦ୍ଦେଶକ ସୁଧାକର ସେଠୀ, ନୀଳରକ୍ତ କଙ୍କଡ଼ା ସୁରକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଭଲ ଭାବେ ହୃଦବୋଧ କରିଥିବା କହିଥିଲେ। ହର୍ସ କ୍ରାବ ଫୋରମ ଅନ୍ତର୍ଗତ ଜିଲାର ପ୍ରମୁଖ ସଙ୍ଗଠନ ଏବିସି, ବାଲେଶ୍ୱର କଳାକେନ୍ଦ୍ର, ଇଣ୍ଡୋସ୍ବିଡିସ୍‌ ରୁମାଟୋଲଜି ଫାଉଣ୍ଡେଶନ, ଯୁବ ବିକାଶ, ଦଶଧ୍ୱଳୀର ଫୁଲ, ଅମର ଯବାନ ସଙ୍ଗଠନ ଓ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତା ଯୋଗଦେଇ ସାର୍ଥାରେ ଜନସାଧାରଣ ଓ ପରସ୍ପର ମଧ୍ୟରେ ରକ୍ଷାବନ୍ଧନ ଉତ୍ସବ ପାଳନ କରି ନୀଳରକ୍ତ କଙ୍କଡ଼ା ସୁରକ୍ଷା ଦିଗରେ ଶପଥ ନେଇଥିଲେ। ଏହି ଅବସରରେ ସମୁଦ୍ର ନିକଟ ସାର୍ଥା ମୁହାଣକୁ ଅତିଥିମାନେ ଯାଇ ବହୁ ମୃତ ନୀଳରକ୍ତ କଙ୍କଡ଼ା ଉଦ୍ଧାର କରିଥିଲେ। ଶେଷରେ ୟୁଥ୍‌ କମିଟି ସମ୍ପାଦକ କମଳାକାନ୍ତ ମଣ୍ଡଳ ଧନ୍ୟବାଦ ଦେଇଥିଲେ।