‘ନୀଳଚକ୍ରକୁ ପ୍ରଣାମ କରି ଗୁହାରି ଜଣାଇଥିଲି’

ତାଳଧ୍ୱଜ ରଥର ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର (୪୬)। ୫ବର୍ଷ ବୟସରେ ବାପା ଶ୍ରୀଧରଙ୍କ ସହିତ ରଥଖଳାକୁ ଆସିଥିଲେ। ଜେଜେ ଗୋପୀନାଥ ତାଙ୍କୁ ନିହଣ ଧରାଇ କାଠରେ ଖୋଦେଇ କାମ ଶିଖାଇଥିଲେ। ଆଜି ରାଜେନ୍ଦ୍ର ଜଣେ ନିଖୁଣ ରୂପକାର ସେବକ। ତାଙ୍କ ସହ ପୁଅ ଜଗନ୍ନାଥ, ପୁତୁରା ଶୁଭମ୍‌ ଏବଂ ପ୍ରକାଶଙ୍କ ସମେତ ଭାଇ ଲିଙ୍ଗରାଜ, କାହ୍ନୁଚରଣ, ସନ୍ତୋଷ ମହାପାତ୍ର କାର୍ଯ୍ୟ କରୁଛନ୍ତି। ୨୦୧୫ ନବକଳେବରରେ ଶାଢି ବନ୍ଧାଇଥିଲେ ରାଜେନ୍ଦ୍ର। ସେ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣା ନ ହେଲେ ରଥଖଳାରେ କାମ କରିବା ସମ୍ଭବ ନୁହେଁ। ଫନୀ ବାତ୍ୟା ପରେ ମୁଁ ଭୀଷଣ ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇପଡ଼ିଥିଲି। ନୃସିଂହ ଚତୁର୍ଦ୍ଦଶୀ ଦିନ କଣଗୁଜ ଅନୁକୂଳ ହେବାର ଥିଲା। ତେଣୁ କିପରି ରଥକାମ କରିବି, ସେନେଇ ଚିନ୍ତାରେ ଥାଏ। ଘରେ ବହୁ କଷ୍ଟରେ ଶେଯରୁ ଉଠି ଦାଣ୍ଡକୁ ଆସି ନୀଳଚକ୍ର ଓ ପତିତପାବନ ବାନାକୁ ଯୋଡ଼ ହସ୍ତରେ ପ୍ରଣାମ କରି ମହାପ୍ରଭୁଙ୍କୁ ଗୁହାରି ଜଣାଇଥିଲି। ଏହାପରଠୁ ମୁଁ ଧୀରେ ଧୀରେ ସୁସ୍ଥ ଅନୁଭବ କଲି। ତାଙ୍କ ଆଶୀର୍ବାଦରୁ ରଥଖଳାରେ କାମ କରିପାରୁଛି। ଇତିମଧ୍ୟରେ ୪୦ବର୍ଷ ବିତିଗଲାଣି। ମୋ ପୁଅ ଜଗନ୍ନାଥ ମଧ୍ୟ ୫ବର୍ଷ ବୟସରେ ରଥକାମ ଶିଖିବା ଆରମ୍ଭ କରିଥିଲା। ଏବେ ତାକୁ ୧୭ବର୍ଷ ବୟସ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏଠାରେ କିଛି କଷ୍ଟ ଜଣାପଡ଼େ ନାହିଁ।