ନୀତି ବିଳମ୍ବ ସହ ବଡ଼ ମହାସ୍ନାନ

ପୁରୀ ଅଫିସ,୧୬ା୨: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବା ପୂଜାରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆ ସେବକ ୩ଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ ବି ଡେରି କରୁଥିବା ଜଣାପଡ଼ିିବ ତେବେ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ମଧ୍ୟ ସେବାରୁ ହଟାଯିବ। ଶ୍ରୀମନ୍ଦିର ପ୍ରଶାସନର ଏହି କଠୋର ଆଭିମୁଖ୍ୟ ପରେ ନୀତିକାନ୍ତି ପ୍ରାୟ ଠିକ୍‌ଠାକ ଚାଲୁଥିଲା। କେବେ କେଉଁଦିନ ନୀତିରେ ସାମାନ୍ୟ ବିଳମ୍ବ ହେଉଥିଲେ ମଧ୍ୟ ପରବର୍ତ୍ତୀ ନୀତିକୁ ତ୍ୱରାନ୍ବିତ କରାଯାଉଥିଲା। କିନ୍ତୁ ଶନିବାର ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରାୟ ୨ଘଣ୍ଟା ବିଳମ୍ବ ହୋଇଛି। ଦ୍ୱାରଫିଟାରୁ ଆରମ୍ଭ ହୋଇଥିବା ଏହି ବିଳମ୍ବ ଅନ୍ୟାନ୍ୟ ନୀତିକୁ ପ୍ରଭାବିତ କରିଥିଲା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦ୍ୱାରଫିଟା ବିଳମ୍ବ ପରେ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ବି ହୋଇଥିଲା। ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ୫ଜଣ ସେବକଙ୍କ ଉପସ୍ଥିତିରେ ଫିଟାଯାଏ। ଏହି ସେବକମାନେ ହେଲେ ପଢିଆରୀ, ଭିତରଚ୍ଛ ମହାପାତ୍ର, ଅଖଣ୍ଡ, ମୁଦୁଲି ଏବଂ ମେକାପ। ସାଧାରଣତଃ ଭୋର ୫ଟା ୧୦ ମଧ୍ୟରେ ଏହି ଦ୍ୱାର ଫିଟାଯାଇଥାଏ। ଶନିବାର ଏହି ସମୟରେ ଦ୍ୱାର ଫିଟାଇବା ଲାଗି ୪ଜଣ ସେବକ ପହଞ୍ଚତ୍ଥିଲେ ମଧ୍ୟ ଜଣେ ଆସି ନ ଥିଲେ। ଫଳରେ ତାଙ୍କୁ ଅନ୍ୟମାନେ ଅପେକ୍ଷା କରିଥିଲେ। ସମ୍ପୃକ୍ତ ସେବକ ପ୍ରାୟ ଅଧଘଣ୍ଟାଏ ପରେ ପହଞ୍ଚତ୍ଥିଲେ। ଏହାପରେ ସକାଳ ୫ଟା ୪୫ରେ ଦ୍ୱାର ଫିଟାଯାଇ ଠାକୁରଙ୍କ ନୀତି ଆରମ୍ଭ ହୋଇଥିଲା। ଏହି ବିଳମ୍ବ ଯୋଗୁ ସକାଳ ପ୍ରାୟ ୬ଟା ମଧ୍ୟରେ ହେଉଥିବା ମଙ୍ଗଳ ଆଳତି ୬ଟା ୩୫ରେ ଶେଷ ହୋଇଥିଲା। ପରେ ଅବକାଶ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଜଣେ ଛୋଟ ପିଲା ଜୟବିଜୟ ଦ୍ୱାର ତଳକୁ ଭିତର କାଠ ପରିସରରେ ପରିସ୍ରା କରିଦେଇଥିଲେ। ଫଳରେ ସେହିଠାରେ ହିଁ ନୀତି ଅଟକି ବଡ଼ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ଏଥିପାଇଁ ପ୍ରାୟ ୧ଘଣ୍ଟା ସମୟ ଲାଗିଥିଲା। ବଡ଼ ମହାସ୍ନାନ ପରେ ଯେଉଁଠାରୁ ନୀତି ଅଟକିଥିଲା ସେହିଠାରୁ ପୁଣି ଆରମ୍ଭ ହୋଇଥିଲା। ତେବେ ଏହି ବିଳମ୍ବ ଯୋଗୁ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ବାହାରିଥିଲା ମହାପ୍ରସାଦ। ସାଧାରଣତଃ ପ୍ରତିଦିନ ଅପରାହ୍ନ ୧ଟାରୁ ସାଢେ ୧ଟା ମଧ୍ୟରେ ଅବଢା ବାହାରିଥାଏ। କିନ୍ତୁ ଗୋଟିଏ ଦିନରେ ଦ୍ୱାରଫିଟାରେ ଡେରି ହେବା ଏବଂ ଠାକୁରଙ୍କ ବଡ଼ ମହାସ୍ନାନ ଯୋଗୁ ଭକ୍ତମାନେ ମହାପ୍ରସାଦ ପାଇବାରେ ବିଳମ୍ବ ଘଟିଥିଲା।