ନିୟୋଜିତ ହେବେ ଅବସରପ୍ରାପ୍ତ ସେନା କର୍ମଚାରୀ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ହୋଇଥିବାବେଳେ ଆବଶ୍ୟକସ୍ଥଳେ ରାଜ୍ୟ ଓ ଜିଲା ପ୍ରଶାସନକୁ ସହାୟତା କରିବା ଲାଗି ଅବସରପ୍ରାପ୍ତ ସେନା କର୍ମଚାରୀ(ଇଏସ୍‌ଏମ୍‌)ମାନଙ୍କୁ ନିୟୋଜିତ କରାଯିବ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି। ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସ୍ବେଚ୍ଛାକୃତ ଭାବେ ଏହି କାର୍ଯ୍ୟରେ ଲଗାଇବାରେ ରାଜ୍ୟ ସୈନିକ ବୋର୍ଡ ଏବଂ ଜିଲା ସୈନିକ ବୋର୍ଡଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜି ବାହାର କରିବା, ଗୋଷ୍ଠୀ ପର୍ଯ୍ୟବେକ୍ଷଣ, କ୍ୱାରାଣ୍ଟାଇନ ସୁବିଧାର ପରିଚାଳନା ଆଦି କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ପଞ୍ଜାବରେ ୪୨୦୦ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନେଇ ଗଠିତ ‘ଗାର୍ଡିଆନ୍ସ ଅଫ ଗଭର୍ନାନ୍ସ’ ଗ୍ରାମାଞ୍ଚଳରୁ ତଥ୍ୟ ସଂଗ୍ରହ କାର୍ଯ୍ୟରେ ସହାୟତା କରୁଛି। ଛତିଶଗଡ଼ ସରକାର ପୋଲିସକୁ ସହାୟତା କରିବା ଲାଗି କେତେଜଣ ପୂର୍ବତନ ସେନା ଯବାନଙ୍କୁ ନିୟୋଜିତ କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ ସମସ୍ତ ଜିଲାପାଳ ସ୍ବେଚ୍ଛାସେବୀ ଇଏସ୍‌ଏମ୍‌ମାନଙ୍କ ସହଯୋଗ ଲୋଡ଼ିଛନ୍ତି।

Share