ନିୟମାବଳୀ ଯଥାର୍ଥ ଦର୍ଶାଇଲେ ଓପିଏସ୍‌ସି

କଟକ ଅଫିସ,୧୦ା୨:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷାର ନିୟମାବଳୀକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। ଓପିଏସ୍‌ପି ଓ ଆଡ୍‌ଭୋକେଟ ଜେନେରାଲ ଜବାବ ଦାଖଲ କରି ପରୀକ୍ଷା ନିମନ୍ତେ ଥିବା ନିୟମାବଳୀକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ। ଫେବୃୟାରୀ ୧୦ ଅର୍ଥାତ୍‌ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣିବେଳେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ ବୋଲି ଜଣାପଡିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମନୋଜ ମିଶ୍ର ମାମଲା ପରିଚାଳନା କରୁଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୨୭ରେ ଏଏସ୍‌ଓ ପରୀକ୍ଷା ହୋଇଥିଲା। ୭୯୬ ପଦ ପାଇଁ ଦେଢ଼ ଲକ୍ଷ ଆଶାୟୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିଲେ। ଏଥିରେ ବ୍ୟାପକ ତ୍ରୁଟି ହୋଇଥିବା ଅଭିଯୋଗ କରି ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଆଶାୟୀ ପରୀକ୍ଷାର୍ଥୀମାନେ ଧାରଣା ଦେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାକୁ ନେଇ ନଭେମ୍ବର ୧୨ରେ ହାଇକୋର୍ଟରେ ଏକାଧିକ ମାମଲା ଦାଏର ହୋଇଥିଲା। ନଭେମ୍ବର ୧୪ରେ ମାମଲାର ଶୁଣାଣି ହୋଇ ହାଇକୋର୍ଟ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ୨୦୧୬ ନୀତି ଆଧାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇ ମାମଲାର ଅନ୍ତ ଘଟାଇଥିଲେ। ପୁଣି ଗତ ନଭେମ୍ବର ୩୦ରେ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଥିଲା। କେତେଜଣ ପରୀକ୍ଷାର୍ଥୀ ଏନେଇ ସାନି ଆବେଦନ କରି ଚୟନ ପ୍ରକ୍ରିୟାରେ ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦ ଓ କେବଳ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଁ ଆବେଦନରେ ଦର୍ଶାଇଥିଲେ।