Categories: ଅନୁଗୋଳ

ନିସ୍ତେଜ ହେଉଛି ନରହନ୍ତା ଦନ୍ତା

ବନ୍ତଳା/ତାଳଚେର,୧୯।୧(ନି.ପ୍ର.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ କରିବା ସହ ୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ହାତୀକୁ ଶନିବାର ଟ୍ରାଙ୍କୁଲାଇଜ୍‌ କରୁଛି ବନ ବିଭାଗ। ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ୪ଥର ଟ୍ରାଙ୍କୁଲାଇଜ କରାଯାଇଛି। ରାତିରେ ଯଦି ହାତୀ ସମ୍ପୂର୍ଣ୍ଣ ନିସ୍ତେଜ ହୁଏ ତାହାକୁ ରବିବାର ସକାଳେ ଟ୍ରକ୍‌ରେ ଲଦି ଢେଙ୍କାନାଳର କପିଳାସ ଚିଡ଼ିଆଖାନାକୁ ନିଆଯିବ ବୋଲି ସୂଚନା ମିଳିଛି।
ତାଳଚେର ରେଞ୍ଜ ଅଞ୍ଚଳରେ ଦୁଇଦିନ ହେଲା ଜଗି ରହିଥିବା ବନ ବିଭାଗର ଅଫିସର ଓ କର୍ମଚାରୀମାନେ ଶନିବାର ଅପରାହ୍ନରେ ଖୋଲା ଜାଗାରେ ଦନ୍ତା ବୁଲୁଥିବା ଦେଖିଥିଲେ। ଫଳରେ ସୁବିଧା ଦେଖି ରାତି ପ୍ରାୟ ୭ଟାରେ ଡେରା ଅନନ୍ତ ପି.ଓ. ଅଫିସ ସମ୍ମୁଖରେ ଟ୍ରାଙ୍କୁଲାଇଜ୍‌ କରିଥିଲେ। ପ୍ରଥମ ଡୋଜ୍‌ କାମ ନ ଦେବାରୁ ୭ଟା ୪୫ରେ ପୁନର୍ବାର ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଏହାପରେ ହାତୀଟି ବୁଦା ମଧ୍ୟରେ ଲୁଚି ରହିଥିଲା। ଦ୍ୱିତୀୟ ଡୋଜ୍‌ ଅଳ୍ପ କାମ କରିବାରୁ ରାତି ୮ଟା ୩୦ରେ ତୃତୀୟ ଡୋଜ୍‌ ଦିଆଯାଇଥିଲା। ଏହାପରେ ବିଳମ୍ବିତ ରାତିରେ ଆଉ ଏକ ଡୋଜ୍‌ ଦିଆଯାଇଥିଲା। ଫଳରେ ନରହନ୍ତା ହାତୀ ଧୀରେ ଧୀରେ ନିସ୍ତେଜ ହେଉଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ରାତିରେ ଦନ୍ତା ନିସ୍ତେଜ ହୋଇଗଲେ ଏକ ସ୍ବତନ୍ତ୍ର ଟ୍ରକ୍‌ରେ ସୁରକ୍ଷା ମଧ୍ୟରେ କପିଳାସସ୍ଥିତ ଚିଡ଼ିଆଖାନାକୁ ନେବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଏହି ଅପରେଶନ୍‌ ଟିମ୍‌ରେ ଅନୁଗୋଳ ଡିଏଫ୍‌ଓ ଭି. କାର୍ତ୍ତିକ, ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ, ସାତକୋଶିଆ ଏସିଏଫ୍‌ ସରୋଜ କୁମାର ପଣ୍ଡା, ନନ୍ଦନକାନନ ଟ୍ରାଙ୍କୁଲାଇଜ୍‌ ଟିମ୍‌, ଅନୁଗୋଳ ଡିଭିଜନ ଅଫିସର ପ୍ରୋବେଶନାଲ ଆଇଏଫ୍‌ଏସ୍‌ ସାଇକରଣ, ଏସିଏଫ୍‌ ବାସୁଦେବ ନାଏକ, ଏକ୍ସପର୍ଟ କମଳ ଲୋଚନ ପୁରୋହିତ, ଅନୁଗୋଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ, ତାଳଚେର ରେଞ୍ଜର ହିମାନୀ ନାୟକ, ତାଳଚେର ଫରେଷ୍ଟର ଲିଜାଲିନ ସାହୁଙ୍କ ସମେତ କଣିହଁା, ଛେଣ୍ଡିପଦା ରେଞ୍ଜରଙ୍କ ସହ ପ୍ରାୟ ୪୦ କର୍ମଚାରୀ ସାମିଲ ହୋଇଥିଲେ।