ନିଷେଧାସତ୍ତ୍ୱେ ଚାଲିଛି ବାଲି ଚୋରା ଚାଲାଣ

ଜଳେଶ୍ୱର, ୩୦।୧୨(ସ୍ବ.ପ୍ର.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ନିଷେଧାଦେଶ ପରେ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଖନନ ବନ୍ଦ ରହିଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ବାଲି ସମସ୍ୟା ଉତ୍କଟ ରୂପ ଧାରଣ କରି ସମସ୍ତ ସରକାରୀ, ବେସରକାରୀ ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଛି। ଅନ୍ୟପଟେ ଚୋରା ମାଫିଆମାନେ ଅବାଧରେ ଚୋରା ବାଲି ଚାଲାଣ କରୁଛନ୍ତି। ଏ ଦିଗରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଞ୍ଚଳରେ ଥିବା ରାଜନଗର, ମାକିଡ଼ିଆ, କୁଅଁରପୁର, ପ୍ରହରାଜପୁର, ଗୁଆଗଡ଼ିଆ, ମକ୍ରମପୁର, ଦକ୍ଷିଣପ୍ରହରାଜପୁର, ଭାନୁପୁର, ଶିଖରପୁର, ପଞ୍ଚୁଘଣ୍ଟା, ମହମ୍ମଦନଗରପାଟଣା, ଚାଲନ୍ତି, ସନ୍ତୋଷପୁର, ଜମାଳପୁର, ଗୋବର୍ଦ୍ଧନପୁର, କଣ୍ଟାପାଳ ଆଦି ବାଲି ସୈରାତରୁ ଅତୀତରେ ବେଧଡ଼କ ଭାବେ ବାଲି ଚାଲାଣ ହୋଇ ଆସୁଥିଲା। କିନ୍ତୁ ଏନଜିଟିର ବାରମ୍ବାର ପରିଦର୍ଶନ ଓ ଚଢ଼ାଉ ଫଳରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା ପ୍ରଶାସନ ଏବଂ ଓଡ଼ିଶାର ବାଲେଶ୍ୱର ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ବାଲି ଖନନ ବନ୍ଦ କରିଛନ୍ତି। କିନ୍ତୁ ଏବେ ବି ରାଇବଣିଆ ଥାନା ଇଲାକାରେ ଥିବା ଭାନୁପୁର, ଶିଖରପୁର, ମକ୍ରମପୁର, ଦକ୍ଷିଣ ପ୍ରହରାଜପୁର, କୁଅଁରପୁର, ମାକିଡ଼ିଆ ଅଞ୍ଚଳରୁ ବ୍ୟାପକ ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ପଶ୍ଚିମବଙ୍ଗର କେତେକ ମାଫିଆ ଓଡ଼ିଶାର କେତେକ ଲୋକଙ୍କୁ ହାତକରି ନଦୀରେ ଅସ୍ଥାୟୀ କାଠପୋଲ ନିର୍ମାଣ କରି ବାଲି ପରିବହନ କରିଆସୁଛନ୍ତି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ବ୍ୟାପକ ଅତଡ଼ା ଖସିବା, ସ୍ବମ୍ପପମ୍ପ ମେଶିନ୍‌ ଚାଲିବା ଦ୍ୱାରା ଭୂକମ୍ପନ ସୃଷ୍ଟି ହେଉଛି। ବହୁ ଅଭିଯୋଗ ପରେ ଜଳେଶ୍ୱରର ଭାରପ୍ରାପ୍ତ ତହସିଲଦାର କ୍ଷୀରୋଦ ପଣ୍ଡା ସଦଳବଳେ ଯାଇ ଏକ ଜେସିବି ମେସିନ ଜବତ କରିଛନ୍ତି। କିନ୍ତୁ ତହସିଲଦାର କିମ୍ବା ଅନ୍ୟ କୌଣସି ପଦସ୍ଥ କର୍ମଚାରୀ ବାଲି ସୈରାତ ଅଞ୍ଚଳକୁ ଚଢାଉ କରିବାକୁ ଯିବା ପୂର୍ବରୁ ବାଲି ଚୋରାଚାଲାଣକାରୀମାନେ ଖବର ପାଇ ଗାଡ଼ିଗୁଡ଼ିକୁ ପଶ୍ଚିମବଙ୍ଗ ପଠାଇ ଦେଉଛନ୍ତି। ଗତ ୨ ଦିନ ତଳେ କେତେକ ଚୋରା ବାଲି ବ୍ୟବସାୟୀ ବାଲି ନେଇ ଯାଉଥିବାର ଖବର ପାଇ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର ଟୋଲ ପ୍ଲାଜା ନିକଟରେ ପହଞ୍ଚତ୍ବା ପୂର୍ବରୁ ସେଠାରୁ ବାଲି ବୋଝେଇ ଡମ୍ପର ଓ ଟ୍ରାକ୍ଟର ଖସିଯିବାରେ ସକ୍ଷମ ହୋଇଥିଲେ।