ନିଶ୍ଚିହ୍ନ ହୋଇଗଲା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟ୍‌

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀଠାରେ ଥିବା ୬୨ବର୍ଷ ତଳର ଫରେଷ୍ଟ ଚେକ ଗେଟକୁ ଉଠାଇ ଦିଆଯାଇଛି। ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶାରିଶୂଆ ପାହାଡରୁ ଆସୁଥିବା ଲଘୁ ଖଣିଜ ଦ୍ରବ୍ୟ, ବନ୍ୟଜାତ ସାମଗ୍ରୀ ଇତ୍ୟାଦି ଯାଞ୍ଚ କରିବା ସହ ଖିଲାପକାରୀଙ୍କ ବିରୋଧରେ ଚାଲାଣ କାଟିବାକୁ ୧୯୫୭ ମସିହାରେ ଏହି ଚେକ ଗେଟ ସ୍ଥାପନ କରାଯାଇଥଲା। ନିକଟରେ କୁପାରୀ ଶାରୀଶୂଆ ପାହାଡ ତଳି ଇଲାକାରେ ମହୁଲୀମଦ ବାସନରେ ଆସୁଥିବା ହାତୀଙ୍କ ଯାତାୟାତକୁ ନିୟନ୍ତ୍ରିତ କରିବାକୁ ଭାଟିବନ୍ଦ ଉଦ୍ଦେଶ୍ୟରେ ମଦ ଧରପଗଡ ଆରମ୍ଭ କରାଯିବାରୁ ଏଠାରେ କାର୍ଯ୍ୟରତ ଫରେଷ୍ଟରଙ୍କୁ କୁପାରୀରୁ ବଦଳି କରାଯାଇଥିଲା। ଫରେଷ୍ଟର ପଦବୀ ଖାଲି ପଡିବାର କିଛିଦିନ ମଧ୍ୟରେ ଗେଟ ରାତିଅଧିଆ ଉଠିଯିବା ଘଟଣା ସମସ୍ତଙ୍କୁ ଚକିତ କରଛି। ଏସମ୍ପର୍କରେ ସୋର ରେଞ୍ଜର ଲକ୍ଷ୍ମଣ ପ୍ରଧାନଙ୍କୁ ପଚାରିବାରୁ ସେ ଦୁଇଟି କାରଣ ଦର୍ଶାଇଛନ୍ତି। ପ୍ରଥମଟି ହେଲା ଗେଟ ଜଗିବା ପାଇଁ କୌଣସି ଷ୍ଟାଫ ନାହାନ୍ତି। ଦ୍ୱିତୀୟଟି ହେଲା ଗେଟ ଯୋଗୁଁ ଅନେକ ସମସ୍ୟା ଉପୁଜୁଛି ଏବଂ ଜଙ୍ଗଲ ବିଭାଗ ବଦନାମ ହେଉଛି। ଉଭୟ ରାଜସ୍ବ ଓ ଜଙ୍ଗଲବିଭାଗ ତରଫରୁ କର୍ମଚାରୀ ଦିଆଗଲେ ପୁନଃ ଗେଟ ସ୍ଥାପନ କରାଯିବ ବୋଲି ପ୍ରଧାନ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଖଣି ଚୋର ଓ ଜଙ୍ଗଲ ବିଭାଗର କେତେକ କର୍ମଚାରୀଙ୍କ ସଲାସୁତୁରା ଯୋଗୁଁ ଗେଟ ଉଠିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।