ନିଶ୍ଚିନ୍ତକୋଇଲିରେ ଅମ୍ଫନ୍‌ ରଚିଲା ତାଣ୍ଡବ

ନିଶ୍ଚିନ୍ତକୋଇଲି,୨୦।୫(ସ୍ବ.ପ୍ର.): ମହାବାତ୍ୟା ଅମ୍ଫନ୍‌ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବୁଧବାର ତାଣ୍ଡବ ରଚିଛି। ଏହି ବ୍ଲକରେ ଥିବା ୪୧ଟି ପଞ୍ଚାୟତ ମଧ୍ୟରୁ ୩୦ଟିରେ ଗମନାଗମନ ଠପ୍‌ ହୋଇଯାଇଛି। ସେହିପରି ଅସୁରେଶ୍ୱରରୁ ୨୨୩ଜଣଙ୍କୁ ଓ କାଟିକଟା ପଞ୍ଚାୟତରୁ ୩୦୦ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ବିସ୍ଥାପିତଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ବିଡିଓ କର୍ନଦେବ ସମାଧର କହିଛନ୍ତି। ବାତ୍ୟା ଅମ୍ଫନ୍‌ ଯୋଗୁ ବିଶେଷ କରି ଲୁଣ-ଚିତ୍ରତାଳ ଓ ମହାନଦୀ-ଚିତ୍ରତୋଳ ନଦୀ ଅବବାହିକାରେ ଥିବା ପଞ୍ଚାୟତଗୁଡିକ ବହୁତ କ୍ଷତି ହୋଇଛି। ଏଥିସହ ବନ୍ଧୁପୁର, କଲମିଶ୍ରୀ, ଦନାର୍ଦନପୁର ବନ୍ଧକାଟିଆ, ଦନାଦନପୁର ଓ ଜଗସିଂପୁର ଓ କେନ୍ଦ୍ରାପଡା ସଂଲଗ୍ନ ଥିବା ପଞ୍ଚାୟତ ଗୁଡିକ ପ୍ରଭାବିତ ହୋଇଛି। ମଙ୍ଗଳବାର ରାତିରୁ ବୁଧବାର ଅପରାହ୍ନ ପଯ୍ୟନ୍ତ ବର୍ଷା ଓ ପବନ ଲାଗି ରହିଥିଲା। ତୀବ୍ର ବେଗରେ ପବନ ବୋହିବାରୁ ବହୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଟେଲି ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି। ସେହିଭଳି କେତେକ ଚାଳ ଘର ଓ ଗୋରୁ ଗୁହାଳ ଭାଙ୍ଗିଥିବା ନେଇ ପ୍ରଶାସନ ପ୍ରାଥମିକ ଆକଳନ କରିଛି।