ନିଶା ବ୍ୟବସାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ଦାଦା ଗୁରୁତର, ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର ଅଫିସ, ୨୬।୧୦: ବାଲେଶ୍ୱର ସଦର ଥାନା ଅଧୀନ ରସାଳପୁର ଛେଳିଆପଦା ଛକ ନିକଟସ୍ଥ କାଳିମଣ୍ଡପ ପଡ଼ିଆରେ ଜଣେ ଦୁର୍ବୃତ୍ତ ନିଶା ବ୍ୟବସାୟକୁ କେନ୍ଦ୍ର କରି ଶନିବାର ମଧ୍ୟାହ୍ନ ୧୨ଟାରେ ଦାଦା ଓ ପୁତୁରାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଧାରୁଆ ଖଣ୍ଡା ଚୋଟରେ ଦାଦା ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ପୁତୁରା ଅଳ୍ପକେ ବର୍ତ୍ତିଯାଇଥିଲେ।
ଛେଳିଆପଦା ଗ୍ରାମର ରାଜମିସ୍ତ୍ରୀ କାମ କରୁଥିବା ପଞ୍ଚାନନ ମହାଳିକ ଓ ମୁନା ବାରିକଙ୍କ ମଧ୍ୟରେ ନିଶା ବ୍ୟବସାୟକୁ ନେଇ କିଛିଦିନ ପୂର୍ବରୁ ଗଣ୍ଡଗୋଳ ଲାଗିଥିଲା। ଶନିବାର ପୂର୍ବାହ୍ନରେ ପଞ୍ଚାନନ ତାଙ୍କ ପୁତୁରାଙ୍କ ସହ କାଳିମଣ୍ଡପ ପାଖ ଟ୍ୟୁବ୍‌ୱେଲକୁ ପାଣି ଆଣିବା ପାଇଁ ଯାଇଥିବା ବେଳେ ହଠାତ୍‌ ମୁନା ଏକ ଧାରୁଆ ଖଣ୍ଡା ଧରି ସେଠାରେ ପହଞ୍ଚତ୍ ଆକ୍ରମଣ କରିଥିଲେ। ପଞ୍ଚାନନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ସଦର ଥାନା ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ପଞ୍ଚାନନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୁନାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।