Categories: ଜାତୀୟ

ନିଶାରୁ ମୁକ୍ତି ଦେଇଥିବା ଡାକ୍ତରଙ୍କ ଡୁଡଲ କଲା ଗୁଗଲ

ନୂଆଦିଲ୍ଲୀ,୧।୧୦: ମନସ୍ତତ୍ତ୍ୱବିତ୍‌ ଡାକ୍ତର ହରବର୍ଟ ଡେଭିଡ କ୍ଲେଭରଙ୍କୁ ମନେପକାଇଲା ଗୁଗଲ। ୨୩ ବର୍ଷ ତଳେ ଅକ୍ଟୋବର ୧ରେ ହରବର୍ଟଙ୍କୁ ନ୍ୟାଶନାଲ ଏକାଡେମୀ ଅଫ୍‌ ମେଡିସିନ୍‌ର ସଦସ୍ୟ ଭାବେ ଚୟନ କରାଯାଇଥିଲା। ତେବେ ଏହି ଦିନକୁ ମନେପକାଇ ମଙ୍ଗଳବାର ଗୁଗଲ ତାଙ୍କର ଡୁଡଲ କରିଛି। ନିଶାସକ୍ତ ଥିବା ବ୍ୟକ୍ତିଙ୍କ ଅଭ୍ୟାସ ଛଡାଇବା ପାଇଁ ହରବର୍ଟ ବହୁ ପ୍ରଚେଷ୍ଟା କରିବା ସହ ତାଙ୍କର ଏଥିରେ ଦକ୍ଷତା ମଧ୍ୟ ରହିଥିଲା। ୧୯୩୪ ଜୁନ ୧୯ରେ ପେନ୍‌ସିଲଭାନିଆର ପିଟର୍ସବର୍ଗରେ ହରବର୍ଟ ଜନ୍ମଗ୍ରହଣ କରିଥିଲେ। ତେବେ ୨୦୧୮ ଅକ୍ଟୋବର ୫ରେ ତାଙ୍କର ନିଧନ ହୋଇଥିଲା। ଡର୍ଟମାଉଥ କଲେଜରେ ଚିକିତ୍ସା ଉପରେ ଅଧ୍ୟୟନ କରିଥିବା ବେଳେ ତାଙ୍କର ମନୋବିଜ୍ଞାନରେ ଅଧିକ ରୁଚି ରହିଥିଲା। ୩ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ନିଶା ଅଭ୍ୟାସକୁ ଛଡାଇବା ପାଇଁ ସେ ସାହାଯ୍ୟ କରିଥିଲେ। କିନ୍ତୁ ପରେ ସେ ଅନୁଭବ କରିଥିଲେ ଯେ, ଏଭଳି ଚିକିତ୍ସା ପାଇଁ ଏକ ନୂଆ ବୈଜ୍ଞାନିକ ଗବେଷଣାର ଆବଶ୍ୟକତା ରହିଛି। ଏହାପରେ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନିଶାଦ୍ରବ୍ୟ ସେବନକୁ ନେଇ ଏକ ରାଷ୍ଟ୍ରୀୟ କେନ୍ଦ୍ର ଓ ବିଭାଗ ସ୍ଥାପନା କରିଥିଲେ। ଏଠାରେ ମଦ, କୋକେନ, ହିରୋଇନ୍‌ ଭଳି ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ଚିକିତ୍ସା ଏକ ନୂଆ ଶୈଳୀରେ କରିବା ପାଇଁ ଯୋଜନା କରିଥିଲେ।

Share