ନିଳାଚଳ କାରଖାନା ପରିସରରେ ଶ୍ରମିକଙ୍କ ଆନ୍ଦୋଳନ

ଯାଜପୁର ଅଫିସ,୧୩।୫: କଳିଙ୍ଗନଗର ନିଳାଚଳ ଇସ୍ପାତ ନିଗମ ଲିଃ(ଏନଆଇଏନଏଲ)କୁ ଲ୍‌କଡାଉନ ସମୟରେ ବନ୍ଦ କରି ଦିଆଯିବା ଯୋଗୁ ପ୍ରାୟ ୪ ହଜାର କର୍ମଚାରୀ ଓ ଶ୍ରମିକଙ୍କ ଜୀବିକା ବିପନ୍ନ ହୋଇଯାଇଛି। ୩ ମାସ ହେଲା କର୍ମଚାରୀ ଓ ଶ୍ରମିକମାନଙ୍କୁ ଦରମା ଦିଆଯାଇ ନ ଥିବା ବେଳେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ତେଣୁ ନୀଳାଚଳ ମିଳିତ ମଞ୍ଚ ନେତୃତ୍ୱରେ ବୁଧବାର ଶତାଧିକ ଶ୍ରମିକ ଓ କର୍ମଚାରୀ ଶୃଙ୍ଖଳା ସହ ସାମାଜିକ ଦୂରତା ରଖି କାରଖାନା ପରିସରରେ ଆନ୍ଦୋଳନ କରିଥିଲେ। ଦରମା ନପାଇ ଶ୍ରମିକ ଓ କର୍ମଚାରୀମାନେ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି ମିଳିତ ମଞ୍ଚର ନେତା ସରକାରଙ୍କୁ ଜଣାଇବା ସହ ତୁରନ୍ତ ଦରମା ପ୍ରଦାନ କରିବାକୁ ନିବେଦନ କରିଥିଲେ। ନୀଳାଚଳ କର୍ତ୍ତୃପକ୍ଷଙ୍କ ତରଫରୁ ମାନବସମ୍ବଳ ବିଭାଗର ଏ.କେ. ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚତ୍ ଉଚ୍ଚ କର୍ତ୍ତୃପକ୍ଷ ଓ ସରକାରଙ୍କୁ ଅବଗତ କରି ଦିନେ ବା ଦୁଇ ଦିନ ମଧ୍ୟରେ ଦରମା ପ୍ରଦାନ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।