ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜୀକୃତଙ୍କ ନାଁ ନାହିଁ

ବଲାଙ୍ଗୀର ଅଫିସ, ୧୬ା୪- ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ସହାୟତା ଯୋଗାଇ ଦେବାକୁ କହିଥିଲେ। ଏଭଳି ଘୋଷଣା ପରେ ନିର୍ମାଣ ଶ୍ରମିକମାନେ ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ପାଇ କିଛି ମାତ୍ରାରେ ଆଶ୍ୱସ୍ତ ହେବେ ବୋଲି ଆଶା କରିଥିଲେ। ତେବେ ବଲାଙ୍ଗୀର ଜିଲାର ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରୁ କେତେକ ଯୋଗ୍ୟ ବିବେଚିତ ହେଲେ ମଧ୍ୟ ଏହି ସହାୟତା ପାଇବାରୁ ବଞ୍ଚତ୍ତ ହେବେ ବୋଲି ଜଣାପଡିଛି। ଏଭଳି ଏକ ଆଶଙ୍କା ନେଇ ଆଗଲପୁର ବ୍ଳକ୍‌ ସାନଟିକା ଗଁାର ୭ଜଣ ନିର୍ମାଣ ଶ୍ରମିକ ଗୁରୁବାର ଦୀର୍ଘ ୪୦କିଲୋମିଟର ସାଇକେଲ ଯାତ୍ରା କରି ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଅଫିସ ବନ୍ଦ ଥିବାରୁ ସେଠାରେ କାହାରିକୁ ଭେଟି ନ ପାରି ସେମାନେ ପୁଣି ନିଜ ଗଁାକୁ ଫେରିଯାଇଛନ୍ତି। ନିର୍ମାଣ ଶ୍ରମିକ ପଞ୍ଜୀକରଣ ହୋଇଥିବା ସତ୍ତ୍ୱେ ସାନ୍‌ଟିକା ଗଁାର ଅଶୋକ କୁମାର ଭୋଇ, ଅକ୍ଷୟ ଭୋଇ, ଅଙ୍ଗଦ ବିଶ୍ୱାଳ, ଶୁଭ୍ରାଂଶୁ ପ୍ରଧାନ, ତରଣୀ ପଧାନ, ବୀରେନ୍ଦ୍ର ବେହେରା ଓ ଭକ୍ତ ବିଶ୍ୱାଳ ପ୍ରମୁଖ ସାନ୍‌ଟିକାରୁ ସାଇକେଲରେ ବଲାଙ୍ଗୀର ଜିଲା ସଦର ମହକୁମାକୁ ଆସି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନଙ୍କ ନାମ ପଞ୍ଜୀକରଣ ତାଲିକାରେ ଥିବା ସତ୍ତ୍ୱେ ସହାୟତା ତାଲିକାରୁ କିଭଳି ଭାବେ ଅନ୍ତର୍ଦ୍ଧାନ ହୋଇଯାଇଛି ଏକଥା ଜାଣିବାକୁ ଆସିଥିଲେ। ତେବେ ଅଫିସ ବନ୍ଦ ଥିବାରୁ ନିରାଶ ହୋଇ ଘରକୁ ଫେରିଥିବା ଜଣାପଡିଛି। ଜିଲାରେ ୫୫ହଜାରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଏହି ସହାୟତା ପାଇବେ ବୋଲି ଦୁଇଦିନ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ ଗୁରୁବାର ଏହି ସହାୟତା ତାଲିକାରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ନାଁ ନ ଥିବା ଅଭିଯୋଗ ହୋଇଥିବାରୁ ବାସ୍ତବରେ ଜିଲାର ନିର୍ମାଣ ଶ୍ରମିକମାନେ କେତେ ସହାୟତା ପାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।