Categories: ଜାତୀୟ

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚିବାରୁ କିନ୍ନରଙ୍କ ବିରୋଧ ପ୍ରଦର୍ଶନ

ବଲିୟା,୩।୨: ନିର୍ଭୟା ଗଣବଳାତ୍କାର ମାମଲରେ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେତେକ ନ୍ୟାୟିକ କାରଣ ଯୋଗୁ ଏବେ ଏହା ଘୁଞ୍ଚିଯାଇଛି। ଏହାକୁ ଦେଖି ଏବେ ଉତ୍ତରପ୍ରଦେଶର କିନ୍ନର ଅନୁଷ୍କା ତାଙ୍କ ସହଯୋଗୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ କରିଛନ୍ତି। ସେ ମାଲଗୋଦାମ ରୋଡରେ ଥିବା ଶିବ ମନ୍ଦିରରେ ପହଞ୍ଚି ସେଠାରେ ‘ଶିବ ତାଣ୍ଡବ ନୃତ୍ୟ’ କରି ଏହାର ବିରୋଧ କରିଛନ୍ତି। ସେ କହିଛନ୍ତି ବାରମ୍ବାର ଫାଶୀ ତାରିଖ ପରିବର୍ତ୍ତନ କରିବାର ଅର୍ଥ ହେଉଛି ଦୋଷୀଙ୍କର ମନୋବଳ ବଢାଇବା, ଯାହ ଠିକ୍‌ ନୁହେଁ। ଏହା ଫଳରେ ଲୋକଙ୍କର ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ତୁଟି ଯାଉଛି ବୋଲି ସେ କହିଛନ୍ତି। ଏହାସହ ସେ ଏଥିରେ ଦୋଷୀଙ୍କ ଓକିଲଙ୍କ ଉପରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ଦୋଷୀଙ୍କୁ ବଞ୍ଚାଇବାକୁ ଓକିଲ ବାରମ୍ବାର ଏଭଳି କରୁଛନ୍ତି ବୋଲି ଅନୁଷ୍କା କହିଛନ୍ତି। ଅନୁଷ୍କାଙ୍କ ମତରେ ଝିଅ ହେଉଛନ୍ତି ଘରର ଲକ୍ଷ୍ମୀ। ଆଉ ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ବଦଳରେ ସେମାନଙ୍କ ହାତଗୋଡ଼ କାଟିଦେବା ଉଚିତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୀର୍ଘ ୭ ବର୍ଷ ପରେ ୪ ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏମାନଙ୍କୁ ଫାଶୀ ଦେବାର ତାରିଖ ୨ ଥର ଘୁଞ୍ଚି ଯାଇଥିବା ବେଳେ ଏହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ।

Share