Categories: ଜାତୀୟ

ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଇତିମଧ୍ୟରେ ଅଧିକାରୀଙ୍କ ପକ୍ଷରୁ ୪ ଦୋଷୀଙ୍କ ଡମିକୁ ଫାଶୀ ଦିଆଯିବା କାର୍ଯ୍ୟ ଶେଷ ହୋଇଛି। ଦୋଷୀଙ୍କ ଓଜନ ଅନୁସାରେ ଡମି ପଥର ଓ କାଦୁଅରେ ପ୍ରସ୍ତୁତ କରାଯାଇଥିଲା। ଧାର୍ଯ୍ୟ ଦିନରେ ଦୋଷୀଙ୍କୁ ଜେଲ୍‌ ନମ୍ବର ୩ରେ ଫାଶୀ ଦିଆଯିବ। ଅକ୍ଷୟ ଠାକୁର(୩୧), ପଓ୍ବନ ଗୁପ୍ତା(୨୫), ମୁକେଶ ସିଂ(୩୨) ଏବଂ ବିନୟ ଶର୍ମା(୨୬)ଙ୍କୁ ଅତି ସତର୍କତାର ସହିତ ଜେଲ୍‌ରେ ରଖାଯାଇଛି। ଏବେ ୩ ଦୋଷୀଙ୍କୁ ଜେଲ୍‌ ନମ୍ବର ୨ରେ ରଖାଯାଇଥିବାବେଳେ ଜଣଙ୍କୁ ୪ ନମ୍ବର ଜେଲ୍‌ରେ ରଖାଯାଇଛି। ମୁକେଶ ସିଂ ଏବଂ ବିନୟ ଶର୍ମାଙ୍କ ପକ୍ଷରୁ ଆବେଦନ କରାଯାଇଥିବା କ୍ୟୁରେଟିଭ୍‌ ପିଟିଶନ୍‌ର ଶୁଣାଣି ଜାନୁୟାରୀ ୧୪ରେ ହେବ। ବିଚାରପତି ଏନ୍‌.ବି. ରମଣା, ଅରୁଣ ମିଶ୍ରା, ଆର୍‌.ଏଫ୍‌. ନରିମଣ, ଆର୍‌. ଭାନୁମତୀ ଏବଂ ଅଶୋକ ଭୂଷଣ ଏହାର ଶୁଣାଣି କରିବେ। ସୂଚନାଯୋଗ୍ୟ, ଘଟଣା ଘଟିବାର ୨୫୭୮ ଦିନ ପରେ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା କରାଯାଇଛି।

Share