Categories: ଜାତୀୟ

ନିର୍ଭୟା ମାମଲାକୁ ୭ ବର୍ଷ: କେନ୍ଦ୍ର ଆଣିଛି କଠୋର ଆଇନ; ତଥାପି ଥମୁନି ବର୍ବରତା

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ଠିକ୍‌ ସାତ ବର୍ଷ ପୂର୍ବେ ଦେଶକୁ ସ୍ତବ୍ଧ କରିଦେଇଥିଲା ନିର୍ଭୟା ମାମଲା। ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସ୍‌ରେ ଗଣବଳାତ୍କାର ପରେ ଫିଙ୍ଗିଦିଆଯାଇଥିଲା। ଜୀବନ ସହ ସଂଗ୍ରାମ କରି ସିଙ୍ଗାପୁର ହସ୍ପିଟାଲରେ ଶେଷରେ ଆଖି ବୁଜିଥିଲେ ପୀଡ଼ିତା। ଏହା ପରେ ବଳାତ୍କାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ଏକାଧିକ ଆଇନ ପ୍ରଣୟନ କରାଯାଇଛି। ହେଲେ ଆଇନକୁ ଫାଙ୍କି ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇଚାଲିଛନ୍ତି ଯୌନ ପିପାସୁ। କାରଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ହାର ନଗଣ୍ୟ। ୨୦୧୨ ଡିସେମ୍ବର ୧୬ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ମହିଳାଙ୍କ ପ୍ରତି ଯୌନ ଅପରାଧ ରୋକିବା ଲାଗି ଆଇନକୁ କଡ଼ାକଡ଼ି କରାଯାଇଥିଲା। ଘଟଣାକୁ ୭ ବର୍ଷ ପୂରିଥିବାବେଳେ ବଳାତ୍କାର ମାମଲାରେ ଦୋଷୀସାବ୍ୟସ୍ତ ହାର ମାତ୍ର ୩୨.୨ ପ୍ରତିଶତ ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ୨୦୧୭ ତଥ୍ୟ ଅନୁଯାୟୀ ସେହିବର୍ଷ ୧,୪୬,୨୦୧ଟି ବଳାତ୍କାର ମାମଲା ବିଚାର ପାଇଁ ନିଆଯାଇଥିବାବେଳେ ସେଥିରୁ ମାତ୍ର ୫୮୨୨ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଏହି ମାମଲାରେ ଚାର୍ଜଶିଟ୍‌ ପ୍ରସ୍ତୁତ ହାର ମଧ୍ୟ ବହୁତ କମିଛି। ଅର୍ଥାତ ଅନେକ ମାମଲା କୋର୍ଟକୁ ଯାଇପାରୁ ନାହିଁ। ୨୦୧୩ରେ ବଳାତ୍କାର ମାମଲାରେ ଚାର୍ଜଶିଟ୍‌ ହାର ୯୫.୪ ପ୍ରତିଶତ ଥିବାବେଳେ ୨୦୧୭ରେ ଏହା ୮୬.୬ ପ୍ରତିଶତକୁ ହ୍ରାସ ପାଇଛି। ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ଅଧିକ ଦକ୍ଷ ହେବା ଆବଶ୍ୟକ ବୋଲି ଆଇନଜୀବୀ ଶିଳ୍ପୀ ଜୈନ କହିଛନ୍ତି। ଅଧିକାଂଶ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପାଖରେ ଆବଶ୍ୟକ ସମ୍ବଳ ଓ ଅଭିଜ୍ଞତା ନାହିଁ ଓ ବହୁ କ୍ଷେତ୍ରରେ ସେମାନେ ଅତିମାତ୍ରାରେ ଦୁର୍ନୀତିଗ୍ରସ୍ତ ବୋଲି ଜୈନ କହିଛନ୍ତି।

Share