Categories: ଜାତୀୟ

ନିର୍ବାଚନ ସମୟରେ ହୃଦ୍‌ଘାତରେ ଭୋଟରଙ୍କ ମୃତ୍ୟୁ

ସାହିବଗଞ୍ଜ,୨୦।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ସାହିବଗଞ୍ଜ ଜିଲାର ବୋରିଓଠାରେ ଜଣେ ମତଦାତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଭୋଟ ଗ୍ରହଣ କେନ୍ଦ୍ରରେ ଉକ୍ତ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ଭୋଟରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିବା ବେଳେ ଏହା ଏକ ସାଧାରଣ ମୃତ୍ୟୁ ଓ ଏହା କୌଣସି ହିଂସାଜନିତ ନୁହେଁ ବୋଲି ଜିଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ଅନ୍ତିମ ପର୍ଯ୍ୟାୟରେ ୨୩୬ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ରହିଛନ୍ତି ୨୯। ଏହି ପର୍ଯ୍ୟାୟରେ ପାଖାପାଖି ୪୦,୦୫,୨୮୭ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଡିସେମ୍ବର ୨୩ରେ ଏହାର ଫଳାଫଳ ଘୋଷଣା କରାଯିବ।

Share