Categories: ଜାତୀୟ

ନିର୍ବାଚନ ଫଳାଫଳ ଆସିବା ପରେ ଖାଇବା ଛାଡିଦେଇଥିଲେ ଲାଲୁ, ଡାକ୍ତର କହିଲେ ଏମିତି

ପାଟନା, ୨୭।୫: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗତ ୩-୪ ଦିନ ହେବ ଜେଲରେ ମଧ୍ୟାହ୍ନ ଭୋଜନ ଖାଇବା ଛାଡିଦେଇଥିଲେ। ଫଳରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବାରୁ ଡାକ୍ତରଙ୍କ ପରାମର୍ଶ ସେ ପୁଣି ଖାଇବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏତେ ଭାଙ୍ଗିପଡିଥିଲେ ଯେ, ମଧ୍ୟାହ୍ଣ ଭୋଜନ ଖାଇବା ଛାଡିଦେଇଥିଲେ। ଏପରିକି ଅଧିକାଂଶ ସମୟ ସେ ଚୁପ ରହିବା ସହ ରାତିରେ ଶୋଉ ନ ଥିଲେ ବୋଲି ଜେଲ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ଖାଦ୍ୟ ଠିକ୍‌ରେ ନ ଖାଇବାରୁ ଔଷଧର ମାତ୍ରା କମାଇଦିଆଯାଇଥିଲା ବୋଲି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଡାକ୍ତର ଉମେଶ ପ୍ରସାଦ କହିଛନ୍ତି। ଭାଜପା ନେତୃତ୍ୱାଧୀନ ଏନଡିଏ ବିହାରର ୪୦ଟି ଲୋକ ସଭା ଆସନରୁ ୩୯ଟି ପୋଛିନେଇଛି। କଂଗ୍ରେସ ମାତ୍ର ଗୋଟିଏରେ ଜିତିଛି। ୨୦୧୪ ମସିହାରେ ମୋଦି ହାୱା ଥାଇ ମଧ୍ୟ ଆରଜେଡି ୪ଟି ଆସନ ଜିତିପାରିଥିଲା, ଏଥର କିନ୍ତୁ ମୋଦି ସୁନାମିରେ ସବୁ ମୂଳପୋଛ ହୋଇଯାଇଛି।

Share