ନିର୍ବାଚନ ଜିତିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ

ଲଣ୍ଡନ,୧୪ା୧୨(ପି.ଟି.):ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ କଞ୍ଜରଭେଟିଭ୍‌ ପାର୍ଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇଛି। ପାର୍ଲାମେଣ୍ଟର ୬୫୦ ଆସନ ମଧ୍ୟରୁ କଞ୍ଜରଭେଟିଭ୍‌ ପାର୍ଟି ୩୬୪ ଆସନ ଦଖଲ କରିଛି। ବିପୁଳ ସଂଖ୍ୟାଗରିଷ୍ଠତା ସହ ପ୍ରଧାନମନ୍ତ୍ରୀ ଜନ୍‌ସନ କ୍ଷମତାକୁ ଫେରିଥିବାରୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଜନ୍‌ସନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ୨୦ ସପ୍ତାହ କ୍ଷମତାରେ ଥିବା ଜନ୍‌ସନଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଏହି ବିଜୟ ଫଳରେ ବ୍ରେକ୍‌ଜିଟ ଡିଲ୍‌ ଶୀଘ୍ର କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର ହୋଇଯାଇଛି। ବ୍ରେକ୍‌ଜିଟକୁ ସଫଳ କରିବା ଲାଗି ଭୋଟ ଦେବାକୁ ଜନ୍‌ସନ ଜୋର୍‌ଦାର ପ୍ରଚାର ଚଳାଇଥିଲେ। ଏହି ନିର୍ବାଚନରେ ଉଭୟ କଞ୍ଜରଭେଟିଭ୍‌ ଓ ଲେବର ପାର୍ଟିରୁ ୧୫ ଜଣ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଅନେକ ଏମ୍‌ପି ସେମାନଙ୍କ ଆସନ ବଜାୟ ରଖିଥିଲା ବେଳେ କେତେକ ନୂଆ ମୁହଁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି। ପୂର୍ବ ପାର୍ଲାମେଣ୍ଟରେ ଥିବା ସମସ୍ତ ଭାରତୀୟ ବଂଶୋଦ୍ଭବ ଏମ୍‌ପି ସେମାନଙ୍କ ଆସନ ବଜାୟ ରଖିଥିବାବେଳେ କଞ୍ଜରଭେଟିଭ ପାର୍ଟିର ଗଗନ ମହିନ୍ଦ୍ରା ଏବଂ କ୍ଲେୟାର କୁଟିନୋ ଏବଂ ଲେବର ପାର୍ଟିର ନଭେନ୍ଦୁ ମିଶ୍ର ପ୍ରଥମ ଥର ଲାଗି ବିଜୟୀ ହୋଇଛନ୍ତି। ବିଜୟ ରାଲିରେ ଉଦ୍‌ବୋଧନ ଦେଇ ଜନ୍‌ସନ କହିଛନ୍ତି, ବ୍ରିଟେନରେ ଏକ ନୂଆ ସକାଳ ଆରମ୍ଭ ହୋଇଛି। ବ୍ରେକ୍‌ଜିଟକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂରହୋଇଛି। ତାଙ୍କ ପ୍ରତି ଦେଶବାସୀ ଦେଖାଇଥିବା ଆସ୍ଥାକୁ ସେ କଦାପି ବ୍ୟର୍ଥ ହେବାକୁ ଦେବେନାହିଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି।

Share