ନିର୍ବାଚନୀ ବ୍ୟବଚ୍ଛେଦ

ହରିଶଙ୍କର ମିଶ୍ର

ଆମ ଦେଶର ଲୋକ ସଭା ଏବଂ ଓଡ଼ିଶାର ବିଧାନସଭା ପାଇଁ ନିର୍ବାଚନ ସରି ଫଳାଫଳ ପ୍ରକାଶ ପାଇଛି। ପୂର୍ବ ନିର୍ବାଚନଠାରୁ ଏହା ପ୍ରଚାର ଓ ଫଳାଫଳ ଦୃଷ୍ଟିରୁ ଅବିଶ୍ବସନୀୟ ଏବଂ ରୋଚକ ହୋଇଛି। ସାଧାରଣତଃ ନିର୍ବାଚନ ପୂର୍ବରୁ ଟିକେଟ ଆଶାରେ କେତେଜଣ ବ୍ୟକ୍ତି ଦଳ ବଦଳ କରିଥାନ୍ତି। କିନ୍ତୁ ଏହି ନିର୍ବାଚନରେ ତାହା ଏଭଳି ସୀମାତିକ୍ରମ କରିଛି ଯେ ପୂର୍ବଦିନ କୌଣସି ଦଳ ବା ଦଳପତିଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରୁଥିବା ବ୍ୟକ୍ତି ରାତି ପାହିଲା ପରେ ସେହି ଦଳ ବା ଦଳପତି ରାଜ୍ୟ ପାଇଁ ଏକମାତ୍ର ବିଶ୍ବସ୍ତ ଏବଂ ତାଙ୍କର ପୂର୍ବ ଦଳ ରାଜ୍ୟ ସ୍ବାର୍ଥ ବିରୋଧୀ କହି ଦଳ ବଦଳ କରିବାକୁ ପଛାଇନାହାନ୍ତି। ନିର୍ବାଚନ ପୂର୍ବରୁ ଦଳୀୟ ଟିକେଟ ପାଇଁ ଯେଉଁ ଆଶାୟୀ ଦଳପତିଙ୍କ ଚାକର ବୋଲି ନିଜକୁ ପରିଚୟ ଦେଉଥିଲେ ଟିକେଟ ନ ପାଇ ସେ ସେହି ଦଳପତିଙ୍କୁ ଅତି କଠୋର ଭାଷାରେ ସମାଲୋଚନା କରିଛନ୍ତି। କେନ୍ଦ୍ର ନେତୃମଣ୍ଡଳୀ ବା ବିଭିନ୍ନ ରାଜ୍ୟର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନଙ୍କସହ ସ୍ବୟଂ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଆମ ରାଜ୍ୟକୁ ଗସ୍ତ ନିର୍ବାଚନ ଇତିହାସରେ ସବୁଠାରୁ ଉଲ୍ଲେଖନୀୟ। କେନ୍ଦ୍ରରୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ, ଦଳୀୟ ନେତା ଏବଂ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିଥିଲେ ବି ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ବା ଇଣ୍ଡିଆ ମେଣ୍ଟ ବିରୋଧରେ ବେଶି କହି ନ ଥିଲେ ଯଦିଓ କଂଗ୍ରେସର ଜାତୀୟ ଏବଂ ରାଜ୍ୟସ୍ତରୀୟ ନେତାମାନେ କେନ୍ଦ୍ରୀୟ ଭାଜପା ସରକାରକୁ ଯଥେଷ୍ଟ ସମାଲୋଚନା କରିଥିଲେ। ରାଜ୍ୟର ପ୍ରମୁଖ ଓ ନିର୍ଦ୍ଦିଷ୍ଟ ସମସ୍ୟା ,ବନ୍ଦ ହୋଇଯାଇଥିବା କଳକାରଖାନାର ପୁନରୁଦ୍ଧାର ବା ନୂତନ କଳକାରଖାନା ପ୍ରତିଷ୍ଠା ଦ୍ବାରା ସମ୍ଭାବିତ ସୁଫଳ ସମ୍ପର୍କରେ କୌଣସି ଦଳର କିଛି ନିର୍ଦ୍ଦିଷ୍ଟ ମତ ନ ଥିଲା। ବରଂ ରାଜକୋଷ ଖାଲିକରି କିଏ କେତେ ଏବଂ କେଉଁ ବର୍ଗର ଲୋକଙ୍କୁ କ’ଣ ମାଗଣା ଦେଇପାରିବେ ତା’ର ପ୍ରଚାର ଜୋର ହୋଇଥିଲା। ଶ୍ରୀଜଗନ୍ନାଥ ମନ୍ଦିରରେ ଚାରିଦ୍ବାର ଖୋଲିବା ଏବଂ ରତ୍ନଭଣ୍ଡାର ଚାବିର ସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଆରୋପ ଅଯାଚିତ ଭାବେ ଭାଜପାର ନିର୍ବାଚନୀ ପ୍ରସଙ୍ଗ ହେବା ଉଲ୍ଲେଖନୀୟ ଥିଲା।
ଅବାଧ ନିରପେକ୍ଷ ଏବଂ ନିର୍ବାଚନର ସରକାରୀ ଆହ୍ବାନ କେବଳ ପ୍ରଚାରରେ ସୀମିତ ରହିଥିବାବେଳେ ଏବଂ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ସର୍ବୋଚ୍ଚ ଖର୍ଚ୍ଚ ମଧ୍ୟ ହାତୀର ଦୁଇଦାନ୍ତ ପରି ସରକାରୀ ଓ ବେସରକାରୀ ଭାବରେ ଭିନ୍ନ ଥିଲା। ଛପାଯାଇଥିବା ପ୍ରାଚୀରପତ୍ର, ଫ୍ଲେକ୍ସ ଆଦିର ସଂଖ୍ୟା ଯଥେଷ୍ଟ ଅଧିକ ସତ୍ତ୍ୱେ ତାହାକୁ ନିର୍ଦ୍ଧାରିତ ଖର୍ଚ୍ଚ ମଧ୍ୟରେ ସୀମିତ ପାଇଁ ପ୍ରୟାସ କରାଯାଇଥିଲା। ନିର୍ବାଚନ ପ୍ରଚାରରେ ସମର୍ଥକଙ୍କ ଖାଦ୍ୟପେୟ,ସହରର ପ୍ରତ୍ୟେକ ଓ୍ବାର୍ଡ ଓ ମଫସଲର ପ୍ରତ୍ୟେକ ଗାଁରେ ମଦ ଓ ମାଂସଭୋଜିର ନିୟମିତ ଆସର ଏବଂ ନିର୍ବାଚନ ପୂର୍ବର ଅମୋଘ ଅସ୍ତ୍ର ପ୍ରୟୋଗ ଦ୍ୱାରା ପ୍ରାର୍ଥୀଙ୍କ ଖର୍ଚ୍ଚ କେତେ କୋଟି ହୋଇଛି ତାହା ‘ମନ ଜାଣେ ପାପ’ ପରି ଅଙ୍ଗେ ନିଭାଇଥିବା ପ୍ରାର୍ଥୀ ମାନେ ଜାଣିଥିଲେ ବି ନିର୍ବାଚନ ଅବାଧ, ନିରପେକ୍ଷ କହିବା ‘ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି’ର ସ୍ପଷ୍ଟ ଉଦାହରଣ।
ନିର୍ବାଚନ ଅବାଧ ନିରପେକ୍ଷ କରାଇବା ସରକାରଙ୍କ ଦାୟିତ୍ୱ। ନିର୍ବାଚନ ପୂର୍ବରୁ ଓ୍ବାରେଣ୍ଟ କାର୍ଯ୍ୟକାରୀ କରିବା ବା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜିଲା କାର୍ଯ୍ୟାଳୟରେ ଜମା ଦେବା ଗତାନୁଗତିକ ଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ ମନୋନୟନପତ୍ର ଦାଖଲ ବା ପ୍ରଚାର ଅଭିଯାନରେ ହୋଇଥିବା ଶକ୍ତି ପ୍ରଦର୍ଶନ ଶୋଭାଯାତ୍ରାରେ ହଜାର ହଜାର ଦୁଇଚକିଆ ଯାନ ଆରୋହୀ ମଦ ପିଇ ବିନା ହେଲ୍‌ମେଟରେ ଅଂଶ ଗ୍ରହଣ କରୁଥିଲେ ମଧ୍ୟ ବଳବତ୍ତର ଥିବା ନିୟମ ଆଧାରରେ ଆଞ୍ଚଳିକ ପରିବହନ ଅଧିକାରୀ ବା ପୋଲିସ ଏହାକୁ ଯାଞ୍ଚ ନ କରିବା ସ୍ପଷ୍ଟ କରୁଥିଲା ଯେ ଆମ ଆଇନ ରାଜ୍ୟ ବା ଦେଶର ଭାଗ୍ୟ ନିୟନ୍ତା ଜନସେବକଙ୍କ ପାଇଁ ବାଟବଣା ହୋଇଯାଏ। ଅନେକ ସ୍ଥାନରେ ଯେଉଁ ଟଙ୍କା ଜବତ ହୋଇଥିଲା ତାହା କେବଳ ବିରୋଧୀ ଦଳର ହିଁ ଥିଲା। ନିର୍ବାଚନ ମଧ୍ୟ ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କ ପାଇଁ ଫସଲ ଅମଳ ଋତୁ। ନିର୍ବାଚନ ଖର୍ଚ୍ଚ ଅଡିଟ୍‌ ପରିସର ବାହାରେ ଥିବାରୁ ନିର୍ବାଚନ ପରିଚାଳନାରେ ଲଗାମହୀନ ଖର୍ଚ୍ଚ ଦର୍ଶାଇବାରେ ବିଭାଗୀୟ ଅଧିକାରୀମାନେ ତା’ର ସୁଯୋଗ ନିଅନ୍ତି। ସ୍ବାଧୀନତାର ୭୫ବର୍ଷ ପରେ ଭୋଟରଙ୍କୁ ସଚେତନ କରାଇବା, ଭୋଟରଙ୍କୁ ଚିରକୁଟ(ଆଗରୁ ପ୍ରାର୍ଥୀମାନେ ଦେଉଥିଲେ), ସ୍କୁଲଗୁଡ଼ିକରେ ଭୋଟ କେନ୍ଦ୍ର ସତ୍ତ୍ୱେ ସେଠାକୁ ରାସ୍ତା ମରାମତି, ନିର୍ବାଚନ ପାଇଁଁ ଅଧିକ ଗାଡ଼ି ସଂଗ୍ରହ, ତେଲ ଏବଂ ଅନ୍ୟାନ୍ୟ ସରଞ୍ଜାମ କିଣା, ବିଶିଷ୍ଟ ବ୍ୟକ୍ତିଙ୍କ ସଭା ଓ ରୋଡ୍‌ ଶୋ ପାଇଁ ବ୍ୟାରିକେଡ୍‌ ଓ ଅସ୍ଥାୟୀ ହେଲିପ୍ୟାଡ୍‌ ପ୍ରସ୍ତୁତି ଆଦିରେ ଅନେକ କୋଟି ଅର୍ଥ ବ୍ୟୟକୁ ଅସ୍ବୀକାର କରାଯାଇ ନ ପାରେ। ଏତଦ୍‌ବ୍ୟତୀତ ଭୋଟ କେନ୍ଦ୍ରରେ ଅନାବଶ୍ୟକ ବିଶ୍ରାମ ସ୍ଥଳୀ , ଭୋଟରଙ୍କୁ ଜଳଯୋଗାଣ ସହ ପରିବହନ ପାଇଁ ଅଟୋ ବ୍ୟବସ୍ଥା ଏକ ଅଦ୍ଭୁତ ପୂର୍ବ ନିର୍ବାଚନ ପ୍ରସ୍ତୁତିକୁ ସୂଚାଉଥିଲା। ଏଥିପାଇଁ ବହୁକୋଟି ଅର୍ଥ ବ୍ୟୟର ପ୍ରାସଙ୍ଗିକତା, ଯଥାର୍ଥତା ବା ବାସ୍ତବତାକୁ ଅଣଦେଖା କେତେଜଣ ଅଧିକାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। ନିର୍ବାଚନ ଫଳ ଘୋଷଣା ସରିଛ ଏବଂ ବିଜେତା ଏବଂ ପରାଜିତ ପ୍ରାର୍ଥୀ ନିଜ ଭବିଷ୍ୟତ ପାଇଁ ପ୍ରସ୍ତୁତି ଚଳାଇବେ। କିନ୍ତୁ ପ୍ରଶାସନିକ ଦୁର୍ନୀତି ନଥି ତଳେ ଚପିଯିବ ଏଥିରେ ସନ୍ଦେହ ନାହିଁ।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri