ନିର୍ବନ୍ଧ ଭୋଜିରେ ମହିଳାଙ୍କୁ ଛୁରି ଦେଖାଇ ଲୁଟ୍‌ ୪ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ନୟାଗଡ଼ ଅଫିସ,୨୭ା୮: ନୟାଗଡ଼ ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ରବିବାର ଏକ ଭୋଜି ଚାଲିଥିବାବେଳେ ୪ ଯୁବକ ମହିଳାମାନଙ୍କୁ ଛୁରି ଦେଖାଇ ଲୁଟ୍‌ କରିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିଛି। ଯୁବକମାନେ ବ୍ୟବହାର କରୁଥିବା କଳା ପଲସର ବାଇକ୍‌ (ଓଡ଼ି୨୫ଏଚ୍‌-୫୩୦୫) ମଧ୍ୟ ପୋଲିସ ଜବତ କରିଛି। ଗିରଫ ୪ ଯୁବକ ହେଲେ ଓଲ୍‌ଡ଼ ଟାଉନ ଶଗଡ଼ିଆସାହିର ତାପସ ଦାସ (୨୧), ଜିତୁନ ବାରିକ (୨୪), ତୁଳସୀପୁର ଗ୍ରାମର ସରୋଜ କୁମାର ନାୟକ (୧୯) ଓ ଦଶପଲ୍ଲା ଥାନା ଭୋଗବାଡ଼ି ଗ୍ରାମର ପଞ୍ଚୁ ବେହେରା। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଚୋରି ମାମଲା ରହିଥିବା ବେଳେ ପୋଲିସ ଏହାର ତଦନ୍ତ କରୁଥିବା ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି।
ଥାନାରୁ ମିଳିଥିବା ସୂଚନା ଅନୁସାରେ ରବିବାର ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ସାଗୁର ଗ୍ରାମର ଚିନ୍ମୟ ରଞ୍ଜନ ଅଟାଙ୍କ ଶାଳୀ ପ୍ରତିଭା ପ୍ରିୟଦର୍ଶିନୀଙ୍କ ସହିତ ରଣପୁର ଅଞ୍ଚଳର ଜଣେ ଯୁବକଙ୍କ ନିର୍ବନ୍ଧ ନୟାଗଡ଼ ସହର ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଥିଲା। ମୁଦି ପିନ୍ଧା କାର୍ଯ୍ୟକ୍ରମ ପରେ ଦୁଇ ପରିବାର ଓ ସେମାନଙ୍କ ବନ୍ଧୁବାନ୍ଧବ ଅପରାହ୍ନ ୨ଟା ସମୟରେ ଭୋଜି ଖାଇବାକୁ ବାହାରିଥିଲେ। ଏହି ସମୟରେ ଉପରୋକ୍ତ ୪ ଯୁବକ କଳା ପଲସରରେ ଆସି ସେଠାରେ ପହଞ୍ଚତ୍ଥିଲେ। ଜଣେ ମନ୍ଦିର ବାହାରେ ରହିଥିବାବେଳେ ଅନ୍ୟ ୩ଜଣ ଭିତରକୁ ପ୍ରବେଶ କରିଥିଲେ। ସେମାନେ ମହିଳାମାନଙ୍କୁ ଧମକଚମକ ଦେବା ସହ ଛୁରି ଦେଖାଇ ଭ୍ୟାନିଟିଗୁଡିକୁ ଛଡାଇନେଇ ମନ୍ଦିର ପଛପଟକୁ ପକାଇ ଦେଇଥିଲେ। ପରେ ଉକ୍ତ ଭ୍ୟାନିଟିଗୁଡିକୁ ଧରି ସମସ୍ତେ ଫେରାର ହୋଇଯାଇଥିଲେ। ସନ୍ଧ୍ୟାରେ ଏ ନେଇ ଚିନ୍ମୟ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେ ସଙ୍ଗେ ଜଗନ୍ନାଥ ମନ୍ଦିରରେ ପହଞ୍ଚତ୍ ତାପସ ବୁଲୁଥିବା ଦେଖି ତାଙ୍କୁ ଧରିଥିଲା। ପରେ ରାତି ୮ଟାରେ ପୋଲିସ ଚଢାଉ କରି ଖଣ୍ଡପଡ଼ା ରୋଡ଼ରୁ ଅନ୍ୟ ୩ ଜଣଙ୍କୁ କାବୁ କରିବା ସହ ବାଇକ୍‌ ଜବତ କରିଥିଲା। ଏ ନେଇ ଥାନାରେ ୧୨୦/୧୯ରେ ଏକ ମାମଲା ରୁଜୁ କରାଯାଇ ଗିରଫ ୪ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି।