Categories: ଜାତୀୟ

ନିର୍ଣ୍ଣାୟକ ହେବ ଆଜିର ରାୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନର ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବୁଧବାର ଏହି ରାୟ ପ୍ରକାଶ କରିବେ। କୁମାରସ୍ବାମୀ ସରକାରଙ୍କ ପାଇଁ ଏହା ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।
୧୫ ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତ୍‌ଗୀ ଶୁଣାଣି ବେଳେ ଅନ୍ତରୀଣ ଆଦେଶ ବଳବତ୍ତର ରଖି ବିଧାୟକଙ୍କ ଇସ୍ତଫା ଏବଂ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଏହାସହ କର୍ନାଟକର କୁମାରସ୍ବାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ଗୃହକାର୍ଯ୍ୟ ବେଳେ ୧୫ ବିଧାୟକଙ୍କ ଉପସ୍ଥିତ ରହିବାରୁ ବାଦ୍‌ ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧଓ୍ବନ କହିଥିଲେ, ଏହି ପ୍ରସଙ୍ଗରେ ସମୟବଦ୍ଧ ଭାବେ ନିଷ୍ପତ୍ତି ନେବା ପାଇଁ ବାଚସ୍ପତିଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଏପରି ଅଧିକାର ନାହିଁ। ସେହିପରି ବାଚସ୍ପତି କେ.ଆର. ରମେଶ କୁମାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ କହିଥିଲେ, ଗତବର୍ଷ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯିବାବେଳେ ରାତିଅଧିଆ ଶୁଣାଣି ହୋଇଥିଲା। ସେତେବେଳେ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ୟେଦୁରପ୍ପାଙ୍କୁ କୁହାଯାଇଥିବାବେଳେ ଖଣ୍ଡପୀଠ ବାଚସ୍ପତିଙ୍କୁ କୌଣସି ନିର୍ଦ୍ଦେଶ ଦେଇ ନ ଥିଲେ। ସଦ୍ୟ ଘଟଣାରେ ବିଦ୍ରୋହୀ ବିଧାୟକଙ୍କୁ ଦଣ୍ଡିତ କରିବା ପାଇଁ ବାଚସ୍ପତିଙ୍କ ପର୍ଯ୍ୟାପ୍ତ କ୍ଷମତା ଥିବାବେଳେ ସେ ଏନେଇ କିଛି ନିଷ୍ପତ୍ତି ନେଇନାହାନ୍ତି। ତେଣୁ ଅଦାଲତ ପୂର୍ବରୁ ନେଇଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ ଆଣିବାକୁ ସିଂଘଭୀ ଅନୁରୋଧ କରିଥିଲେ।

Share