ନିରାଡ଼ମ୍ବର ପୂଜା କରିବ ଡିଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି : ନବମୀରେ ନିଆରା କୁମାରୀ ପୂଜା

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ଧରାବତରଣ କରିବେ ଜଗଜ୍ଜନନୀ ମା’ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ହେଲାଣି ଭୁବନେଶ୍ୱର। ପୂଜା କମିଟିର ପ୍ରସ୍ତୁତି ଜୋର୍‌ଦାର ଚାଲିଥିବାବେଳେ ତୋରଣ ବନ୍ଧା ସହ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏବେ ଦେଶରେ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଡିଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି ସ୍ବଳ୍ପ ଖର୍ଚ୍ଚରେ ପୂଜାକୁ ନିରାଡମ୍ବରରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ପୂଜା ପାଇଁ ଆସୋସିଏଶନ ପକ୍ଷରୁ ମାତ୍ର ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଆସୋସିଏଶନ ସଭାପତି ପ୍ରକାଶ କୁମାର ବିଜୁଳି କହିଛନ୍ତି, ଏଥର ଏକ ଭିନ୍ନ ଭାବେ ପୂଜା ଆୟୋଜନ କରାଯାଉଛି। କମିଟି ଏଥର କୁମାରୀ ପୂଜାକୁ ଗୁରୁତ୍ୱ ଦେଇଛି। ନବମୀରେ ୯ ଜଣ କୁମାରୀଙ୍କୁ ମା’ଙ୍କ ବେଶରେ ସଜାଯାଇ ପୀଠରେ ପୂଜାର୍ଚ୍ଚନା କରାଯିବ ବୋଲି ସେ କହିଛନ୍ତି।
୧୨ବର୍ଷରେ ପହଞ୍ଚତ୍ଛି ପୂଜା ମହୋତ୍ସବ। ଏଥିର ୧୬ଫୁଟ ଉଚ୍ଚର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ହେବ। ସେହିଭଳି ୫୦ଫୁଟ ଉଚ୍ଚ ଓ ୭୦ପୁଟ ଓସାରର ତୋରଣ ହେବ। ତେବେ ପୂଜାରେ କାହାଠାରୁ ଚାନ୍ଦା ଆଦାୟ କରା ନ ଯିବା ସହ ପୂଜାସ୍ଥଳକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ଓ ପ୍ରଦୂଷଣମୁକ୍ତ ରଖାଯିବ। ମା’ଙ୍କର ସମସ୍ତ ନୀତି ଠିକ୍‌ ସମୟରେ ହେବା ସହ କଲୋନୀ ବାସିନ୍ଦାଙ୍କୁ ଲଡୁ ବଣ୍ଟନ, ଷଷ୍ଠ ଓ ସପ୍ତମୀରେ ଭଜନ ସମାରୋହ ଏବଂ ଦଶମୀରେ ରେକର୍ଡ ଡ୍ୟାନ୍ସ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ସୂଚନା ଦିଆଯାଇଛି। ଖବରଦାତା ସମ୍ମିଳନୀରେ କମିଟି ସମ୍ପାଦକ ସତ୍ୟନାରାୟଣ ମହାନ୍ତି, ବିରଞ୍ଚତ୍ ନାରାୟଣ ଷଣ୍ଢଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।