ନିଯୁକ୍ତି ଓ ପୁଷ୍ଟି ସାଧନରେ ମତ୍ସ୍ୟ କ୍ଷେତ୍ର

ପ୍ରକାଶ ତ୍ରିପାଠୀ

ପୃଥିବୀରେ ଜୀବନ ସର୍ଜନା ଆରମ୍ଭରୁ ମତ୍ସ୍ୟ ସମ୍ପଦର ଉପସ୍ଥିତିକୁ ଉଭୟ ଜୀବ ବିଜ୍ଞାନୀ ଓ ଭଗବତ୍‌ବିଶ୍ୱାସୀମାନେ ଗ୍ରହଣ କରନ୍ତି। ମାଛ ଏକ ସୁଷମ, ପୁଷ୍ଟିକର, ସହଜ ଉପଲବ୍ଧ ଓ ସ୍ବାଦଯୁକ୍ତ ହୋଇଥିବାରୁ ଏବେ ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩ ଶହ କୋଟି ଓ ବାର୍ଷିକ ପ୍ରାୟ ୧୫୦ ନିୟୁତ ଟନ୍‌ ମାଛ ଖାଦ୍ୟ ଭାବେ ବ୍ୟବହୃତ ହୁଏ। ବିଶ୍ୱରେ ଆବଶ୍ୟକ ପଡୁଥିବା ପ୍ରାଣୀଜ ପ୍ରୋଟିନର ଶତକଡ଼ା ୨୫ ଭାଗ କେବଳ ମାଛ ହିଁ ଭରଣା କରିଥାଏ। କୋଟି କୋଟି ବିଶ୍ୱବାସୀଙ୍କୁ ଖାଦ୍ୟ ଯୋଗାଉଥିବା ଏକ ବିଶାଳ ଉତ୍ସ ସମୁଦ୍ରର ଗୁରୁତ୍ୱକୁ ଉପଲବ୍ଧି କରିବା ତଥା ମାଛଧରା କାର୍ଯ୍ୟକ୍ରମର ପୋଷଣୀୟ ପରିଚାଳନା କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଭବିଷ୍ୟତ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବିଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ଏହି ଦିବସର ପାଳନ ଏକ ଯଥାର୍ଥ ପଦକ୍ଷେପ। ବିଶ୍ୱ ମତ୍ସ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଶ୍ୱରେ ଥିବା ପ୍ରାକୃତିକ ଜଳଉତ୍ସ ଯଥା ସମୁଦ୍ର, ମଧୁର ଜଳ ଓ ଖାରିଜଳରେ ଥିବା ମତ୍ସ୍ୟ ସମ୍ପଦର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା। ବ୍ୟାପକ ମତ୍ସ୍ୟ ଚାଷ ସତ୍ତ୍ୱେ ବି ପ୍ରାକୃତିକ ଜଲଉତ୍ସରୁ ମାଛ ଧରାଯାଇ ଚାହିଦା ପୂରଣ କରାଯାଉଥିବାରୁ ପ୍ରାକୃତିକ ଜଳଉତ୍ସଗୁଡ଼ିକର ପୋଷଣୀୟ ପରିଚାଳନାର ଆବଶ୍ୟକତା ରହିଛି। ସମୁଦ୍ର, ନଦୀ, ହ୍ରଦ, ନଦୀମୁହାଣ, ଆର୍ଦ୍ର ଭୂମି, କୋରାଲ ରିଫ୍‌ ଉପରେ ଆଗାମୀ ଦିନରେ ଅଧିକ ଚାପ ରହିବ। ଏହା ଉପରେ ହିଁ ଅନେକ ନିୟୁତ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକା ନିର୍ଭର କରିଥାଏ। ଏହି ପ୍ରାକୃତିକ ଜଳଉତ୍ସର ନ୍ୟାୟସଙ୍ଗତ ଓ ପୋଷଣୀୟ ପରିଚାଳନା ସହ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକାକୁ ବିଚାର କରିବାକୁ ପଡ଼ିଥାଏ।
ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମତ୍ସ୍ୟ ଉତ୍ପାଦନରେ ବର୍ତ୍ତମାନ ବିଶ୍ୱରେ ଭାରତର ସ୍ଥାନ ତୃତୀୟ ଓ ସମଗ୍ର ମାଛ ଉତ୍ପାଦନରେ ୮ ଭାଗ ଭାରତର ଅବଦାନ ଥିବା ବେଳେ ବିଶ୍ବରେ ଜଳକୃଷି ଉତ୍ପାଦନରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି। ମତ୍ସ୍ୟ ସମ୍ପଦ ୧୪୫ ନିୟୁତ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି। ମତ୍ସ୍ୟଚାଷ ହେଉଛି ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ କ୍ଷେତ୍ର, ଯାହାକି ଏହାର ମୋଟ ଜିଡିପିର ୧.୦୭% ଯୋଗଦାନ କରୁଛି। ଭାରତରେ ମତ୍ସ୍ୟ କ୍ଷେତ୍ର ଦେଶର ୨୮ ନିୟୁତରୁ ଅଧିକ ଲୋକଙ୍କ ଜୀବିକାକୁ ପରିପୁଷ୍ଟ କରେ। ଭାରତୀୟ କୃଷିର ୫.୩ ଭାଗ ଅଧିକୃତ କରିଥିବା ମତ୍ସ୍ୟ ସମ୍ପଦ ଦେଶର ଖାଦ୍ୟ ନିରାପତ୍ତା ଯୋଗାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟିକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବାର୍ଷିକ ପ୍ରାୟ ୧୭ ନିୟୁତ ଟନ୍‌ ମାଛ ଉତ୍ପାଦନ କରୁଥିବା ଭାରତ ଆଗାମୀ ଦିନରେ ବିଶ୍ବର ପ୍ରଥମ ମତ୍ସ୍ୟ ଉତ୍ପାଦନକାରୀ ଦେଶ ହେବାର ଉଦ୍ୟମ ଜାରିରଖିଛି। ସେହିପରି ଭାରତର ଅନ୍ୟତମ ଉପକୂଳ ରାଜ୍ୟଭାବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ରାଜ୍ୟ ଓଡ଼ିଶା ବାର୍ଷିକ ୧୦.୫୨ ଲକ୍ଷ ମେଟ୍ରିକ ଟନ୍‌ ମାଛ ଉତ୍ପାଦନ କରି ଚତୁର୍ଥ ସ୍ଥାନରେ ରହିଛି ଓ ମତ୍ସ୍ୟ କ୍ଷେତ୍ର ମୋଟ ରାଜ୍ୟ ମୂଲ୍ୟ ଯୋଗ (ଜିଏସ୍‌ଭିଏ)ର ୨.୭% ଯୋଗଦାନ କରିଥାଏ।
ବିଶ୍ୱର ପ୍ରତି ୧୦ଜଣରେ ଜଣେ ମଣିଷ ନିଜ ପରିବାର ଭରଣପୋଷଣ ପାଇଁ ଜଳକୃଷି ତଥା ମତ୍ସ୍ୟ ସମ୍ପଦ ଉପରେ ନିର୍ଭର କରିଥାଏ। ଜଳବାୟୁ ପରିବର୍ତ୍ତନ, ଜଳ ପ୍ରଦୂଷଣ ଯୋଗୁ ନଦୀ, ହ୍ରଦ ଓ ସମୁଦ୍ରରେ ମାଛଙ୍କ ଗଣମୃତ୍ୟୁ ଗତ କିଛି ବର୍ଷ ହେବ ସୂଚିତ କରେ ଯେ ମାଛ ବସତି ଅଞ୍ଚଳଗୁଡିକର ମାନ ଠିକ୍‌ ନାହିଁ। ଯଦି ଏହାପ୍ରତି ଗୁରୁତ୍ୱ ଦିଆ ନ ଯାଏ ତେବେ ଭବିଷ୍ୟତରେ ବିଶ୍ୱ ଏକ ଗୁରୁତର ଖାଦ୍ୟସଙ୍କଟ ଦିଗକୁ ମୁହଁାଇବ। ବିଶେଷ କରି ଶିଳ୍ପକ୍ଷେତ୍ର, କୃଷିକ୍ଷେତ୍ର, ଘରୋଇ ତଥା ସହରର ବର୍ଜ୍ୟଜଳ ନିଷ୍କାସନ ତଥା ତୈଳ ଓ ପ୍ଲାଷ୍ଟିକ ଯୋଗୁ ଉପକୂଳ ସମୁଦ୍ରର ଜଳ ବହୁ ମାତ୍ରରେ ପ୍ରଦୂଷିତ ହେଉଛି ଓ ମାଛ ବଂଶ ପ୍ରତି ଏହା ସଙ୍କଟ ସୃଷ୍ଟି କରୁଛି। ମାଛ ଉତ୍ପାଦନ ବାଧାପ୍ରପ୍ତ ହେବା ସହ ମତ୍ସ୍ୟଜୀବୀଙ୍କ ଜୀବିକା ଏହା ଦ୍ୱାରା ପ୍ରଭାବିତ ହେଉଛି।
ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟା ପାଇଁ ପ୍ରୋଟିନଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସମୁଦ୍ର ଉପରେ ଚାପ ବଢୁଛି। ଆବଶ୍ୟକତାଠାରୁ ଅଧିକ ମାଛ ଧରାହେଉଛି। ଏକ ତୃତୀୟାଂଶ ଅଞ୍ଚଳରେ ପ୍ରଦୂଷଣ, ବିଶ୍ୱ ତାପନ ଓ ଅସ୍ବାସ୍ଥ୍ୟକର ମାଛ ବସତି ଅଞ୍ଚଳ ଯୋଗୁ ମାଛ ବଂଶବୃଦ୍ଧି ଆଶାନୁରୂପ ହୋଇପାରୁନାହିଁ। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଏସବୁ ଉପରେ ଗୁରୁତ୍ୱ ପ୍ରଦାନ ସହ ମତ୍ସ୍ୟ ବିବିଧତା, ମାଛ ବସତି ଅଞ୍ଚଳର ସୁରକ୍ଷା, ସାମୁଦ୍ରିକ ପରିବେଶକୁ ପ୍ରଦୂଷଣମୁକ୍ତ ରଖାଯିବା ସହ ପ୍ରାକୃତିକ ଜଳଉତ୍ସଗୁଡ଼ିକୁ ଉତ୍ପାଦନକ୍ଷମ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ ଆବଶ୍ୟକ। ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ଓ ମାଛବଂଶ ବୃଦ୍ଧିପାଇଁ ପ୍ରଜନନ ସମୟରେ ମାଛଧରା ଉପରେ କଟକଣା ଲାଗୁ କରାଯାଏ। ଏଥିପାଇଁ କ୍ଷତି ସହୁଥିବା ମତ୍ସ୍ୟଜୀବୀଙ୍କୁ ସରକାର ଜୀବିକା ସହାୟତା ପ୍ରଦାନ କରୁଛନ୍ତି। ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଛଧରା ନିଷିଦ୍ଧାଞ୍ଚଳ ତଥା ମତ୍ସ୍ୟ ସମ୍ବଦ୍ଧୀୟ ସୂଚନା ଜାଣିବା ପାଇଁ ଓ ସରକାରଙ୍କ ପକ୍ଷରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ମୋବାଇଲ ଆପ୍‌ ପ୍ରସ୍ତୁତ ହୋଇଛି। ଜଳଭଣ୍ଡାର ଓ ନଦୀଗୁଡିକରେ ଉନ୍ନତ ମାଛ ଯାଆଁଳ ଛଡାଯିବା ସହ ମାଛ ଉତ୍ପାଦନ ବୃଦ୍ଧି ଓ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାରମାନଙ୍କର ଆର୍ଥିକ ବିକାଶ ଉପରେ ପଦକ୍ଷେପ ନିଆଯାଉଛି। ମହିଳାମାନଙ୍କ ଆର୍ଥିକ ବିକାଶ ଘଟାଇବା ସହ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧିକରିବା ଲକ୍ଷ୍ୟରେ ରାଜ୍ୟରେ ଥିବା ଗ୍ରାମ ପଞ୍ଚୟତ ପୋଖରୀଗୁଡ଼ିକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦୀର୍ଘ ମିଆଦୀ ସୂତ୍ରରେ ଲିଜ୍‌ ଦିଆଯାଇ ମାଛଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ପ୍ରାଥମିକ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ପୁନଃକ୍ଷମ କରିବା ତଥା ଏହାର ସଭ୍ୟାସଭ୍ୟମାନଙ୍କ ଆର୍ଥିକ ବିକାଶ ଲକ୍ଷ୍ୟରେ ଦୁଇ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ତଥା ରାଜ୍ୟର ବିଭିନ୍ନ କଲ୍ୟାଣମୂଳକ ଯୋଜନା ମାଧ୍ୟମରେ ନୂତନ ପୋଖରୀ ଖନନ, ଭିତ୍ତିଭୂମିର ବିକାଶ, ଉନ୍ନତ ଜ୍ଞାନ କୌଶଳ ଯୁକ୍ତ ମାଛ ଚାଷ ପାଇଁ ପ୍ରୋତ୍ସାହନ ଓ ତାଲିମ ପ୍ରଦାନ, ମାଛ ଚାଷରେ ବ୍ୟବହୃତ ଉପକରଣ ପ୍ରଦାନ, ସେମାନଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ମେଧାବୃତ୍ତି ପ୍ରଦାନ, ମତ୍ସ୍ୟଜୀବୀ ପରିବାରକୁ ବୀମାଭୁକ୍ତ କରିବା ଆଦି କାର୍ଯ୍ୟକ୍ରମ ମାଛ ଚାଷ ପ୍ରତି ସାଧାରଣରେ ଆଗ୍ରହ ବୃଦ୍ଧି କରୁଛି। ଜଳସମ୍ପଦ, ମତ୍ସ୍ୟସମ୍ପଦ, ମତ୍ସ୍ୟ ବିବିଧତା ସୁରକ୍ଷା ସହ ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷ, ସଂଗଠନ, ଉଦ୍ୟୋଗୀଙ୍କ ବିକାଶକୁ ମଧ୍ୟ ଦୃଷ୍ଟି ଦିଆଯାଇ ପାରିଲେ ବିଶ୍ୱ ମତ୍ସ୍ୟଦିବସ ପାଳନ ଯଥାର୍ଥ ହୋଇପାରିବ।
ମୋ-୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri