ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଅନୁଗୋଳ ଅଫିସ, ୨୦ା୧୦

ଅନୁଗୋଳ ପୌରପାଳିକାରେ ସ୍ବଚ୍ଛ ସାଥୀ ଓ ସୁପରଭାଇଜର ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯୋଗ୍ୟତା ନ ଥିବା କେତେଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ପରେ ଜିଲାପାଳ ଉକ୍ତ ଫାଇଲ ମଗାଇ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ପୌରପାଳିକାର ୨୧ଟି ୱାର୍ଡ ପାଇଁ ୧୮ ଜଣ ସ୍ବଚ୍ଛସାଥୀ ଓ ୪ ଜଣ ସୁପରଭାଇଜରଙ୍କୁ ମନୋନୀତ କରାଯାଇଥିଲା। ସ୍ବଚ୍ଛସାଥୀ ପାଇଁ ଯୁକ୍ତ ୨ ସହ ଅନ୍ୟାନ୍ୟ ପ୍ରମାଣପତ୍ର ଥିବା ଆବେଦନକାରୀ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା। ସୁପରଭାଇଜର ପାଇଁ ଯୋଗ୍ୟତା ସ୍ନାତକ ରଖାଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏସ୍‌ଓପି ଅନୁସରଣ କରି ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୋଟ ୭୦ ଆବେଦନକାରୀଙ୍କ ମଧ୍ୟରୁ ୪୦ ଜଣ ପୌରପାଳିକା ଅଧୀନରେ ଥିବା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ନେଇ ନିଯୁକ୍ତି ପ୍ରକ୍ରିୟା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୮ ଜଣ ସ୍ବଚ୍ଛସାଥୀ ଓ ୪ ଜଣ ସୁପରଭାଇଜର ଭାବେ ମନୋନୀତ ହୋଇଥିଲେ। କିନ୍ତୁ ୧୮ ଜଣ ସ୍ବଚ୍ଛସାଥୀଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଇଥିବାବେଳେ ୪ ଜଣ ସୁପରଭାଇଜରଙ୍କୁ ଅଦ୍ୟାବଧି ନିଯୁକ୍ତି ଦିଆଯାଇନାହିଁ। ଏପରିକି ନିଯୁକ୍ତି ତାଲିକାରେ ୧ ନମ୍ବରରେ ଥିବା ସୁପରଭାଇଜରଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି। କେବଳ ଜଣେ ନୁହେଁ ଅନ୍ୟ ଜଣଙ୍କୁ ମଧ୍ୟ ବାଦ୍‌ ଦିଆଯାଇଥିବା କେତେଜଣ ଆବେଦନକାରୀ ଅଭିଯୋଗ ଆଣିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ମହିଳା ସ୍ବଚ୍ଛସାଥୀ ହୋ ହାଲ୍ଲା କରିଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ମୁଁ ଆସିବା ପୂର୍ବରୁ ଏହି ନିଯୁକ୍ତି ହୋଇଛି। ଅଭିଯୋଗ ଆସିବା ପରେ ଜିଲାପାଳ ଉକ୍ତ ଫାଇଲ ମଗାଇ ଯାଞ୍ଚ କରୁଛନ୍ତି। ଜିଲାପାଳଙ୍କ ନିକଟରୁ ଫାଇଲ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।