ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଉତ୍ତେଜନା

ଖଲ୍ଲିକୋଟ,୩୦ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଛି। ଖାଦ୍ୟ ଥାଳିରେ ପୋକ ବାହାରିବା ନେଇ ଛାତ୍ରୀଛାତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଖବର ପାଇ ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟରେ ପହଞ୍ଚତ୍ ପ୍ରତିବାଦ କରିଥିଲେ। ପୂର୍ବରୁ ମଧ୍ୟ ଏପରି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ପୋକ ଲାଗିଥିବା ପନିପରିବା, ଡ଼ାଲି ରନ୍ଧା ଯାଉଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ। କିଛି ସମୟ ଧରି ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ସେପରି କୌଣସି ନିମ୍ନମାନର ଖାଦ୍ୟ ଦିଆଯାଉନାହିଁ। କଞ୍ଚା ପରିବାରୁ ହିଁ ପୋକ ବାହାରିଥାଏ। ଏଥିପାଇଁ ମୁଁ ପାଚିକା ଓ ସହାୟିକାଙ୍କୁ ତାଗିଦ କରିଛି। ରାଜନୈତିକ ଆକ୍ରୋଶ ରଖି କେତେକ ବ୍ୟକ୍ତି ଏପରି ଅପପ୍ରଚାର କରି ଅଶାନ୍ତି ସୃଷ୍ଟି କରୁଥିବା ସେ କହିଛନ୍ତି।