ନିମ୍ନମାନର ଓପିଡ଼ି ଗୃହ ନିର୍ମାଣ ଘଟଣା: ଅଭିଯୋଗ ପରେ ମରାମତି ଆରମ୍ଭ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଓପିଡ଼ି (ଆଉଟ୍‌ଡୋର ପେସେଣ୍ଟ ଡିପାର୍ଟମେଣ୍ଟ) ଗୃହର ମରାମତି କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ସ୍ଥାନୀୟ ସଚେତନ ନାଗରିକ ଏହି ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଠିକା ସଂସ୍ଥାର ମାଲିକଙ୍କ ଉପସ୍ଥିତିରେ ନିମ୍ନମାନର ଇଟା ଯୋଡ଼େଇ ଭଙ୍ଗାଯିବା ସହ ଆବଶ୍ୟକ ମୁତାବକ ବାଲି, ସିମେଣ୍ଟ ଦିଆଯାଇ ପୁଣି ଯୋଡେଇ କରାଯାଇଛି। ଏତଦ୍‌ବ୍ୟତୀତ ନିର୍ମିତ ହୋଇଥିବା ପ୍ଲାଷ୍ଟର ଓ ଟାଇଲ୍‌ସ ଯୋଡ଼େଇ ଖସାଯାଇ ପୁଣି ନିର୍ମାଣ କାର୍ଯ୍ୟ ହୋଇଛି। ଏନ୍‌ଆର୍‌ଏଚ୍‌ଏମ୍‌ ଜେଇ ରାଜଶ୍ରୀ ଦେ ପହଞ୍ଚତ୍ କାର୍ଯ୍ୟର ତଦାରଖ କରିଛନ୍ତି। ୮୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟର ନିର୍ମାଣାଧୀନ ଏହି ଗୃହର ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ସରପଞ୍ଚ ପ୍ରତାପ ଦଳାଇ, ସମାଜସେବୀ ଜୟକୃଷ୍ଣ ବେହେରା, ଗଜେନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଟ୍ଟନାୟକ, ସଞ୍ଜୟ ପଟ୍ଟନାୟକ, ଅଭୟ ବାରିକ, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଅଭିଯୋଗ କରିଥିଲେ। ଶନିବାର ଆରଡ଼ି ଏସ୍‌ଡ଼ିଓ ଅଶ୍ୱିନୀ କୁମାର ଦଣ୍ଡପାଟ, ଜେଇ ଉମାଶଙ୍କର ବେହେରା, ଜେଇ ରାଜଶ୍ରୀ ଦେ ପ୍ରମୁଖ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ଯେଉଁଠି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିଲା, ସେସବୁ ସ୍ଥାନରେ ମରାମତି ଆରମ୍ଭ କରାଯାଇଛି।