Categories: ବାଣିଜ୍ୟ

ନିବେଶକ ହରାଇଲେ ୧.୮୪ ଲକ୍ଷ କୋଟି

ମୁମ୍ବାଇ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଜିଡିପି ଅଭିବୃଦ୍ଧି ପରିସଂଖ୍ୟାନ ହ୍ରାସ ପାଇବା ପ୍ରଭାବ ଦେଶର ଶେୟାର ବଜାରରେ ଦେଖିବାକୁ ମିଳିଛି। ଏହି କାରଣରୁ ସପ୍ତାହର ତୃତୀୟ ଦିନ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଓ ଏନ୍‌ଏସଇ ନିଫ୍ଟିରେ ବ୍ରେକ୍‌ ଲାଗିଛି। ବୁଧବାର ସେନ୍‌ସେକ୍ସ ୫୦୩.୬୨ପଏଣ୍ଟ ହ୍ରାସ ପାଇ ୩୮,୫୯୩.୫୨ ଓ ନିଫ୍ଟି ୧୪୮ ପଏଣ୍ଟ ହ୍ରାସ ପାଇ ୧୧,୪୪୦.୨୦ରେ ବନ୍ଦ ହୋଇଛି। ଫଳରେ ଗୋଟିଏ ଦିନରେ ନିବେଶକ ପ୍ରାୟ ୧.୮୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ମଙ୍ଗଳବାର ବିଏସ୍‌ଇରେ ତାଲିକାଭୁକ୍ତ ମୋଟ କମ୍ପାନୀଙ୍କ ମାର୍କେଟ କ୍ୟାପ୍‌ ୧,୪୮,୭୩,୨୪୭.୧୮ କୋଟି ଟଙ୍କା ରହିଥିଲା ବେଳେ ବୁଧବାର ଏହା ହ୍ରାସ ପାଇ ୧,୪୬,୮୮,୩୯୮.୬୬ କୋଟି ଟଙ୍କା ରହିଥିଲା। ଆଇଟି ସେକ୍ଟରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସେକ୍ଟର ଶେୟାରରେ ବିକ୍ରି ପରିଲକ୍ଷିତ ହୋଇଥିଲା। ବିଶେଷଜ୍ଞଙ୍କ କହିବାନୁଯାୟୀ, ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଅଣାଯିବା ଯୋଗୁ ଆମେରିକା ସମେତ ବିଶ୍ୱର ବିଭିନ୍ନ ଷ୍ଟକ୍‌ ଏକ୍ସଚେଞ୍ଜରେ ଅସ୍ଥିରତା ଦେଖିବାକୁ ମିଳିଥିଲା। ଏହାର ପ୍ରଭାବ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜରେ ମଧ୍ୟ ଅନୁଭୂତ ହୋଇଥିଲା। ଏହାଛଡ଼ା ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଭାରତର ଜିଡିପି ଅଭିବୃଦ୍ଧି ହାର ଅନୁମାନକୁ ଚଳିତ ଆର୍ଥିକ ବର୍ଷ ଲାଗି ୬.୫%କୁ ହ୍ରାସ କରିବା ପରେ ନିବେଶକ ଶେୟାର ବିକ୍ରି କରି ପୁଞ୍ଜି ଫେରାଇ ନେବାକୁ ଉଚିତ ମଣିଛନ୍ତି।

Share