ନିଟ୍‌କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ଏନଟିଏ) ତରଫରୁ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୧୯ରେ ଓଡିଶାରେ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଫଳରେ ରାଜ୍ୟରେ ପାସ୍‌ହାର ହ୍ରାସ ପାଇଛି। ଏନେଇ ଅଭିଭାବକମାନେ ଅଭିଯୋଗ ଉଠାଇବା ସହ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଭାବକମାନଙ୍କ ତରଫରୁ ମୃଣ୍ମୟ ଦାସ ହାଇକୋର୍ଟରେ ଏକ ମିସ୍‌କେସ୍‌ ନଂ.୮୭୧୯/୨୦୧୯ ରୁଜୁ କରିଛନ୍ତି।
ଅଭିଯୋଗ ମୁତାବକ, ବାତ୍ୟା ‘ଫନୀ’ ପାଇଁ ଓଡ଼ିଶାକୁ ଛାଡ଼ି ଅନ୍ୟସବୁ ରାଜ୍ୟରେ ମେ’ ୫ରେ ନିଟ୍‌ ଅନୁଷ୍ଠିତ ହୋଇଥିଲା। ମେ’ ୨୦ ତାରିଖରେ ଓଡ଼ିଶାରେ ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା। ତେବେ ଓଡ଼ିଶା ଛାତ୍ରୀଛାତ୍ରଙ୍କ ପାଇଁ ପ୍ରସ୍ତୁତ ପ୍ରଶ୍ନପତ୍ର ଅଧିକ ଜଟିଳ ଥିଲା। ଅନ୍ୟପକ୍ଷରେ ର଼୍ୟାଙ୍କ୍‌ ପାଇଁ ଥିବା ନର୍ମାଲାଇଜେଶନ ପ୍ରସିଜିଓରକୁ ପାଳନ କରାଯାଇ ନ ଥିଲା। ଓଡ଼ିଶାରୁ କମ୍‌ ପିଲା ପରୀକ୍ଷା ଦେଇଥିବା ଦର୍ଶାଇ ଏହି ପ୍ରକ୍ରିୟାକୁ ଅନୁସରଣ କରାଯାଇ ନ ଥିଲା। ଜୁନ ୫ରେ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଏନ୍‌ଟିଏ ପକ୍ଷରୁ ଓଡିଶା ପିଲାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଜଣାପଡିଥିଲା। ଏହାଦ୍ୱାରା ଓଡିଶାରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନେ ଅନ୍ୟ ରାଜ୍ୟରେ ଥିବା ମେଡିକାଲ କଲେଜରେ ପାଠ ପଢିବାରେ ବାଧା ସୃଷ୍ଟି ହେବ। କିନ୍ତୁ ଅନ୍ୟ ରାଜ୍ୟର ଛାତ୍ରୀଛାତ୍ର ଓଡିଶାରେ ସେମାନଙ୍କ ପାଇଁ ଥିବା ୧୫ ପ୍ରତିଶତ ସିଟ୍‌ରେ ନାମ ଲେଖାଇବାରେ ସୁଯୋଗ ପାଇବେ। ଏପରିସ୍ଥଳେ ଓଡ଼ିଶାର ଛାତ୍ରୀଛାତ୍ରମାନେ ଡାକ୍ତରୀ ପଢ଼ିବାରୁ ବଞ୍ଚତ୍ତ ହେବେ। ବର୍ତ୍ତମାନ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଥିବାବେଳେ ନିଟ୍‌ ଅବ୍ୟବସ୍ଥା ଯୋଗୁ ଆଗକୁ ଗୁରୁତର ପରିସ୍ଥିତି ସୃଷ୍ଟି ହେବ। ରାଜ୍ୟ ସରାକାରଙ୍କୁ ଏନେଇ ଅନେକ ଅବିଭାବକ ଜଣାଇଲେ ମଧ୍ୟ କୌଣସି ସହଯୋଗ ମିଳିପାରୁ ନାହିଁ ବୋଲି ସେମାନେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ପଚାରିବାରୁ ସେ କହିଲେ, ମେଡିକାଲ ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତରେ କ’ଣ ହୋଇଛି ଆଲୋଚନା କରାଯିବ।
ପ୍ରକାଶ ଥାଉକି, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ଭାରତୀୟ ମେଡିକାଲ କାଉନ୍‌ସିଲ ଅନୁମୋଦିତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା ପାଇଁ ନିଟ୍‌ ପରୀକ୍ଷା କରାଯାଉଛି। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ୧୩ ଲକ୍ଷ ୭୫ ହଜାର ପରୀକ୍ଷାର୍ଥୀ ନିଟ୍‌ ଦେଇଥିଲେ। ଓଡିଶାରୁ ୪୨ ହଜାର ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିବାବେଳେ ୩୨ ହଜାର ୩୮୭ଜଣ ନିଟ୍‌ ଦେଇଥିଲେ। ସେଥି ମଧ୍ୟରୁ ୧୯ ହଜାର ୨୪୪ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ।

Share