ନିଜ ଭୁଲ ପାଇଁ ପଶ୍ଚାତାପ କଲେ ଅକ୍ଷୟ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ରବିବାର ଜାମିଆ ନଗର ଓ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଉକ୍ତ ୨ ସ୍ଥାନରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ବଲିଉଡ୍‌ର କେତେକ କଳାକାର ବିରୋଧ କରିଥିଲେ। କିନ୍ତୁ ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଗୋଟିଏ ଭୁଲ କରିଦେଇଛନ୍ତି। ଯାହାକୁ ନେଇ ପରେ ସେ ପଶ୍ଚାତାପ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜାମିଆରେ ହୋଇଥିବା ହିଂସାର ଏକ ମଜାଳିଆ ଭିଡିଓ ଟୁଇଟ କରାଯାଇଥିଲା। ଆଉ ଏହାକୁ ଅକ୍ଷୟ ଲାଇକ୍‌ କରିଦେଇଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ନିଜର ଭୁଲ ଅନୁଭବ ହୋଇଥିଲା ସେତେବେଳେ ସେ ଏହାକୁ ଅନ୍‌୍‌ଲାଇକ୍‌ କରିଦେଇଥିଲେ। ଏଥିସହ ଏହାକୁ ସେ ନିଜର ଭୁଲ ବୋଲି କହି ଏକ ରିଟୁଇଟ କରିଛନ୍ତି। ସେ କହିଛନ୍ତି, ଟୁଇଟରରେ ଅନ୍ୟ ଭିଡିଓ ଦେଖୁଥିବା ବେଳେ ଭୁଲରେ ଲାଇକ୍‌ ବଟନ କ୍ଲିକ୍‌ କରିଦେଇଥିଲେ। କିନ୍ତୁ ଭିଡିଓଟି ଜାମିଆ ମିଲିଆ ଇସ୍‌ଲାମିଆ ପରିସରରେ ସୃଷ୍ଟି ହୋଇଥିବା ହିଂସା ଉପରେ ଥିଲା ବୋଲି ସେ ଜାଣିବା ପରେ ଏହାକୁ ତୁରନ୍ତ ଅନ୍‌ଲାଇକ୍‌ କରିଦେଇଥିଲେ। କାରଣ କୌଣସି ହିଂସାତ୍ମକ ଘଟଣାକୁ ସେ ସମର୍ଥନ କରନ୍ତି ନାହିଁ ବୋଲି ଅକ୍ଷୟ କହିଛନ୍ତି। ତେବେ ଅକ୍ଷୟଙ୍କ ଏହି ଲାଇକ୍‌ ପରେ ସୋସିଆଲ ମିଡିଆରେ ଏବେ ତାଙ୍କୁ ଟ୍ରୋଲ କରାଯାଇଛି।

Share