ନିଜ କେନ୍ଦ୍ରରେ ପରୀକ୍ଷା ଦାବିକରି ରାସ୍ତା ଅବରୋଧ କଲେ କଲେଜ ଛାତ୍ରୀଛାତ୍ର

ଭୋଗରାଇ,୧୯।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦ୍ଦା ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ନିଜ କଲେଜରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଦାବିକରି ବୁଧବାର ରାସ୍ତାରୋକୋ କରିଛନ୍ତି। ସକାଳ ସାଢେ ସାତଟାରୁ ସାଢେ ଦଶଟା ପର୍ଯ୍ୟନ୍ତ ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତା କମର୍ଦ୍ଦା ବଙ୍ଗଳାଠାରେ ସେମାନେ ଅବରୋଧ କରିଥିଲେ । ଏ ନେଇ ଯାନବାହନ ଚଳାଚଳ ଠପ୍‌ ହୋଇଥିଲା।
ଖବରପାଇ ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାରୀ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହିତ ଆଲୋଚନା କରି ପତିଶ୍ରୁତି ଦେବାପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା ।
ସୂଚନାନୁଯାୟୀ, ଉକ୍ତ କଲେଜରେ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବାରୁ ଚଳିତ ବର୍ଷ ମାଧ୍ୟାମିକ ଉଚ୍ଚଶିକ୍ଷା ପରିଷଦ ପରୀକ୍ଷା କେନ୍ଦ୍ରକୁ ବାତିଲ କରିଥିଲା। ଏହା ସହ ୧୫ କି.ମି. ଦୂର ଜଳେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ କଲେଜକୁ ନୋଟିସ ଦିଆଯାଇଥିଲା। ମାତ୍ର ଛାତ୍ରୀଛାତ୍ର ଏହାକୁ ବିରୋଧ କରି ନିଜ କଲେଜ ପରୀକ୍ଷା ହେବାକୁ ଦାବିକରି ଆନ୍ଦୋଳନକୁ ଓହ୍ଲାଇଥିଲେ।