Categories: ଜାତୀୟ

ନିଜର ଶ୍ରାଦ୍ଧକର୍ମ ସମୟରେ ଘରକୁ ଫେରିଲେ ବ୍ୟକ୍ତି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୧୨।୯: ବିହାର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ମନେକରି ପରିବାର ସଦସ୍ୟ ଶ୍ରାଦ୍ଧକର୍ମ କରୁଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏହି ସମୟରେ ଘରକୁ ବାହୁଡ଼ିଛନ୍ତି। ସ୍ଥାନୀୟ ମୁଶହରି ଥାନା ଅନ୍ତର୍ଗତ ବୁଧନଗରା ଗାଁରେ ଏଭଳି ଘଟିଛି। ଅଗଷ୍ଟ ୧୫ରେ ଗାଁର ୪୯ ବର୍ଷ ବୟସ୍କ ସଞ୍ଜିବ୍‌ କୁମାର ଘରୁ କେଉଁଆଡ଼େ ଚାଲିଯାଇଥିଲେ। ଏନେଇ ସଞ୍ଜିବଙ୍କ ପିତା ଅବସରପ୍ରାପ୍ତ ସୈନିକ ରାମସେବକ ଠାକୁର ସେପ୍ଟେମ୍ବର ୬ରେ ଥାନା ମାମଲା ଦାଏର କରିଥିଲେ। ସଞ୍ଜିବ୍‌ଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବା ଏଥିରେ ଦର୍ଶାଯାଇଥିଲା। ଏହାପରେ ପୋଲିସକୁ ସିକନ୍ଦରପୁର ଅଞ୍ଚଳର ଅଖାଡ଼ା ଘାଟ ନିକଟରୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ପୋଷ୍ଟମୋର୍ଟମ ପରେ ଚିହ୍ନଟ ପାଇଁ ରାମସେବକଙ୍କୁ ଡକାଯାଇଥିଲା। ମୃତଦେହ ଖଣ୍ଡିଆ ଖାବରା ହୋଇଯାଇଥିବାରୁ ରାମସେବକଙ୍କ ପରିବାର ସଦସ୍ୟ ଏହାକୁ ସଞ୍ଜିବ୍‌ ବୋଲି ଅନୁମାନ କରି ଚିହ୍ନଟ କରିଥିଲେ। ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପରେ ଶ୍ରାଦ୍ଧକର୍ମର ଅୟୋଜନ କରାଯାଇଥିଲା। ତେବେ ଶ୍ରାଦ୍ଧ କର୍ମ ଚାଲିଥିବାବେଳେ ସଞ୍ଜିବ୍‌ ଘରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share