ନିକ୍‌ ଶାଶୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି କି ପ୍ରଶ୍ନରେ ଏପରି କହିଲେ ପ୍ରିୟଙ୍କା

ମୁମ୍ବାଇ: ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ଜରିଆରେ ବହୁତ ଦିନ ପରେ ବଲିଉଡ୍‌ ପରଦାକୁ ଫେରୁଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା। ଏବେ ସେ ଏହାର ପ୍ରମୋଶନରେ ବ୍ୟସ୍ତ। ଏହି ଅବସରରେ ସେ କମେଡି ନାଇଟ୍‌ସ ଉଇଥ୍‌ କପିଲ ଶୋ’ରେ ଭାଗ ନେଇଛନ୍ତି। ସେଠାରେ କପିଲ ତାଙ୍କୁ ଅନେକ ମଜାଦାର ପ୍ରଶ୍ନ ପଚାରିଛନ୍ତି। ଭାରତୀୟ ଜ୍ୱାଇଁଙ୍କ ପରି ନିକ୍‌ ଜୋନାସ ଶାଶୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି ନା ପାଶ୍ଚାତ୍ୟ ଢ଼ଙ୍ଗରେ ଗେଲ କରନ୍ତି ବୋଲି କପିଲ ପିସିଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ପିସି ହସି ହସି କହିଥିଲେ, ଉଭୟଙ୍କ ମଝି ଜିନିଷଟି ସେ କରନ୍ତି। ମା’ଙ୍କୁ ଦେଖିଲେ ସେ କୁଣ୍ଡାଇ ପକାନ୍ତି।

ସେହିଭଳି ପ୍ରିୟଙ୍କା କପିଲଙ୍କୁ କିଛି ପ୍ରଶ୍ନ ପଚାରି ଅଡ଼ୁଆରେ ପକାଇଥିଲେ। ଯଦି ଗୋଟିଏ ପଟେ ମା’ ଏବଂ ଅନ୍ୟ ପଟେ ଗିନ୍ନି ଡାକନ୍ତି, ତେବେ କପିଲ କାହା କଥା ପ୍ରଥମେ ଶୁଣିବେ ବୋଲି ପ୍ରିୟଙ୍କା ପଚାରିଥିଲେ। ଏହାର ଜବାବରେ କପିଲ କହିଥିଲେ, ସେ କେବେ ଉଭୟଙ୍କୁ ଅଲଗା ଅଲଗା ଦେଖିନାହାନ୍ତି। ହେଲେ ଦର୍ଶକ ଗ୍ୟାଲେରିରେ ବସିଥିବା କପିଲଙ୍କ ମା’ ଏହା ନୁହେଁ, ବରଂ ସେ ଗିନ୍ନିଙ୍କ କଥା ଶୁଣିବେ ବୋଲି କହିଥିଲେ। ଶେଷରେ କପିଲ ବିବାହ ପରେ ପୁଅ ନୁହେଁ ବରଂ ମା’ ବଦଳିଯାଆନ୍ତି ବୋଲି ମତ ରଖିଥିଲେ। ଏହାର ଭରପୂର ମଜା ଉଠାଇଥିଲେ ଦର୍ଶକ। ଏହାକୁ ନେଇ ଏକ ପ୍ରମୋ ଭିଡିଓ ସୋନି ଚ୍ୟାନେଲର ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଯାହାକୁ ଦେଖି ପ୍ରଶଂସକ କପିଲଙ୍କ ଆଗାମୀ ଏପିସୋଡ୍‌କୁ ଅପେକ୍ଷା ରହିଲା ବୋଲି ମତ ରଖିଛନ୍ତି।

Share