ନିଆରା ହୋଲି: ପ୍ରାକୃତିକ ରଙ୍ଗରେ ସ୍ନେହ, ସୁସ୍ଥତା ବାର୍ତ୍ତା

ଚନ୍ଦାହାଣ୍ଡି,୧୦ା୩(ଡି.ଏନ୍‌.ଏ.): ସବୁଠି ଆନନ୍ଦର ସହ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡିଠାରେ ମଧ୍ୟ ଭାଇଚାରାର ଏହି ପର୍ବ ପାଳନ କରାଯାଉଛି। ଚାରିଆଡ଼େ କରୋନାକୁ ନେଇ ମନରେ ଭୟ ରହିଛି। ଫଳରେ ଏ ବର୍ଷ ହୋଲି ସାମାନ୍ୟ ଫିକା ପଡ଼ିଛି। ହେଲେ ଚନ୍ଦାହାଣ୍ଡି ବ୍ଲକ୍‌ର ପାଟଖଲିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପିଲାଠାରୁ ବୃଦ୍ଧ ସମସ୍ତେ ହୋଲିକୁ ଏକ ନିଆରା ଢଙ୍ଗରେ ପାଳନ କରିବା ଦେଖିବାକୁ ମିଳିଛି। କରମର୍ଦ୍ଧନ ବଦଳରେ ନମସ୍କାର କରି ହୋଲି ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି। ସେହିପରି ରାସାୟନିକ ଦ୍ରବ୍ୟ ମିଶ୍ରିତି ରଙ୍ଗ ବଦଳରେ ଏଠାରେ ପ୍ରାକୃତିକ ରଙ୍ଗରେ ପରସ୍ପରଙ୍କୁ ରଙ୍ଗ ଲଗାଇବା ସହ ସ୍ନେହ ଓ ପ୍ରେମର ବାର୍ତ୍ତା ଆଦାନ ପ୍ରଦାନ କରୁଛନ୍ତି। ଲୋକେ ହଳଦୀ ଓ ଚାଉଳ ଚୂନାରେ ରଙ୍ଗ ତିଆରି କରି ହୋଲି ପାଳନ କରିବା ଦେଖିବାକୁ ମିଳିଛି। ଏହାଦ୍ୱାରା ସେମାନେ ସ୍ନେହ, ପ୍ରେମ ସହ ସୁସ୍ଥତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ବଜାରରେ ଏଥର ବହୁ ଦୋକାନୀ ରଙ୍ଗ ବିକ୍ରି ମଧ୍ୟ କରି ନ ଥିଲେ। ଯାହା ପୁରୁଣା ବର୍ଷର ବଳକା ଥିଲା, ତାହାକୁ ବିକ୍ରି କରିଥିେଲେ। ହୋଲି ପୂର୍ବରୁ ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା କରି ଏଥର ହଳଦୀ ଓ ଚାଉଳ ଚୂନାରେ ହୋଲି ଖେଳିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରସ୍ତାବକୁ ସ୍ଥାନୀୟ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ସ୍ବାଗତ କରିବା ସହ ପାଟଖଲିଆ ଗାଁକୁ ଯାଇ ଲୋକଙ୍କ ସହ ହୋଲି ଖେଳିବା ସହ ଶୁଭେଚ୍ଛା ଜଣାଇଥିଲେ।