ନିଆରା ଢଙ୍ଗରେ ପାଳନ କରାଯାଏ ରଜ ଉତ୍ସବ

ଆନନ୍ଦପୁର,୧୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଭଣ୍ଡାରିଡିହା ପଞ୍ଚାୟତ ନରସିଂହପୁର ଗ୍ରାମରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳନ କରାଯାଉଛି। ଯାହାକୁ ଢିପାମାଡ଼ ପର୍ବ ବୋଲି କୁହାଯାଇଥାଏ। ଏଥିପାଇଁ ଗ୍ରାମବାସୀ ପହିଲି ରଜରେ ଗ୍ରାମଦେବୀ ମା’ ମଙ୍ଗଳାଙ୍କ ଆଜ୍ଞାମାଳ ନେଇ ଜଙ୍ଗଲରୁ ଏକ ଗଛକୁ ଆଣିଥାନ୍ତି। ଏହା କସିମୂଳା ନାମରେ ପରିଚିତ। ଏହି ଗଛରୁ ବକଳ ସଂଗ୍ରହ କରାଯାଇ ପୂଜାର୍ଚ୍ଚନା ପରେ ରଜ ସଂକ୍ରାନ୍ତିରେ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥଏ। ଏହି ଶୋଭାଯାତ୍ରାରେ ସଂପୃକ୍ତ କସିମୂଳା ଗଛର ବକଳକୁ ଦୁଇଟି ଶିଶୁଗଛର କାଠ ସାହାଯ୍ୟରେ ପିଟିପିଟି ଭଞ୍ଜ ସାହିତ୍ୟର ପ୍ରେମ ପ୍ରଣୟର କବିତା ଗାନ କରି ଗ୍ରାମ ପରିକ୍ରମା କରିବା ପରମ୍ପରା ନିଆରା। ଢିପାମାଡ଼ କରୁଥିବା ବ୍ୟକ୍ତିମାନେ ମୁଣ୍ଡରେ ଗଛ ଡାଳ ବାନ୍ଧିବା ସହିତ ଠେକା ମଧ୍ୟ ବାନ୍ଧିଥାନ୍ତି। ମା’ ମଙ୍ଗଳାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ପରମ୍ପରା ରହିଛି। ଏହା ଦ୍ୱାରା ଗ୍ରାମର ମଙ୍ଗଳ ହେବା ସହିତ ଚାଷ କାର୍ଯ୍ୟ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଢିପାମାଡ଼ ପର୍ବରେ ଗ୍ରାମର ମୁରବୀମାନେ ବିଶେଷକରି ସାମିଲ ହୋଇଥାନ୍ତି। ଢିପାମାଡ଼ ପର୍ବ ପରେ ପୂଜା କରାଯାଉଥିବା କସିମୂଳା ଗଛର ବକଳକୁ ଶେଣ୍ଢେଇ ନଦୀକୂଳରେ ରଖାଯାଇଥାଏ। ଶେଷ ରଜରେ ପୁନର୍ବାର ଢିପାମାଡ଼ କରାଯାଇ ନଦୀରେ ବିସର୍ଜନ କରାଯାଇଥାଏ। ଏହି ପରମ୍ପରା ବହୁ ପୁରାତନ ସମୟରୁ ରହିଆସିଥିବା ଗ୍ରାମର ମୁରବୀମାନେ କହିଛନ୍ତି।