ନିଆରା କମେଡି ଯୋଡ଼ି

ଥରେ ମନେପକାନ୍ତୁନା ଅପେରା ନାଟକ ‘ମାୟାଜାଲ’ର ସେହି ଲୋକପ୍ରିୟ ଡାଏଲଗ୍‌-‘ମୁ ଦୁଲୁକି, ଦେଖ୍‌ ମୋ ଚାଲିକି’-ମୁଁ ସୁନା ନୁହେଁ କି ରୁପା ନୁହେଁ ହୀରା ଖଣି।’ ଏହି ଡାଏଲଗ୍‌ ମନକୁ ଆସିଲେ ଆଖି ସାମ୍‌ନାକୁ ସ୍ବତଃ ଚାଲିଆସନ୍ତି ଜଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ କମେଡି ଯୋଡ଼ି ବାପି-ଟୁକୁ। ବାସ୍ତବ ଜୀବନରେ ଏହି ପତି-ପତ୍ନୀ ଷ୍ଟେଜ୍‌ ଉପରକୁ ଆସିଲେ ଦର୍ଶକ ମହଲରେ ହସର ଲହରି ଖେଳିଯାଏ। ଡାଏଲଗ୍‌ ଡେଲିଭରି ହେଉ ଅବା ଅଭିନୟ ସେଗୁଡିକର ପ୍ରତିଟି ଷ୍ଟେପ୍‌ରେ ଭରି ରହିଥାଏ ଅଭୁଲା କମେଡି। ସୁଦାମପତି ଅପେରା, ଉତ୍ତରକୁଳରୁ ବାପିଙ୍କ ଅଭିନୟ ଜୀବନ ଆରମ୍ଭ। ଦୀର୍ଘ ୨୫ ବର୍ଷର ମାରାଥନ୍‌ ଅଭିନୟ କ୍ୟାରିୟରରେ ସେ ଯାତ୍ରା ଜଗତରେ ସୃଷ୍ଟି କରିଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ। ସୁପରହିଟ୍‌ ନାଟକ ‘ପ୍ରଭାସ ଯଜ୍ଞ’ ଏବଂ ‘ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ’ ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ୨୦୧୯-୨୦ ସିଜନରେ ଏହି ଯୋଡ଼ିକୁ ନବଗଠିତ ଅପେରା ସୂର୍ଯ୍ୟମନ୍ଦିରରେ ଦେଖିବାକୁ ମିଳିବ। ବାପି-ଟୁକୁ ଯୋଡିଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ‘ସଜନୀ ଲାଜରେ ଗଲି ମୁଁ ମରି’। ଏହାପୂର୍ବରୁ ଏହି ଯୋଡି ପଞ୍ଚସଖା ଗଣନାଟ୍ୟ, ଧରିତ୍ରୀ ଗଣନାଟ୍ୟ, ତାରିଣୀ ଗଣନାଟ୍ୟ, ତୁଳସୀ, ଇଷ୍ଟର୍ନ ରେଡ୍‌ରେ ନିଜର କମେଡି ଜଲ୍‌ଓ୍ବା ଦେଖାଇ ସାରିଛନ୍ତି। ଧରିତ୍ରୀ ଗଣନାଟ୍ୟରେ ଅଭିନୟ କରୁଥିବା ସମୟରେ ପ୍ରେମଜାଲରେ ଦୁହେଁ ବାନ୍ଧି ହୋଇଯାଆନ୍ତି ଆଉ ପରେ ସତସତିକା ପତି-ପତ୍ନୀ ପାଲଟି ଯାଆନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ସୂର୍ଯ୍ୟମନ୍ଦିର ଦ୍ୱାରା ପରିବେଷିତ ହେବାକୁ ଯାଉଥିବା ନାଟକ ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର, ପୁଅ ଯିବ ଶାଶୁଘର, ମାୟାବିନୀ ମୌସୁମୀ, ଭିତିରି କଥା’ରେ ଦୁହିଙ୍କୁ ମିଳିଛି ମନଲାଖି ଭୂମିକା। ଏହି ଯୋଡ଼ି ଅଭିନୀତ ପ୍ରମୁଖ ନାଟକଗୁଡିକ ମଧ୍ୟରେ ରହିଛି, ‘ହସୁଛି କେବଳ କାନ୍ଦିବା ପାଇଁ, ସୀତା ଦେବେ ଆଜି ଅଗ୍ନି ପରୀକ୍ଷା, ରାଖୀ ଦେଇଗଲା ଆଖିରେ ଲୁହ ଏବଂ ଦିନକ ପାଇଁ ମୁଁ ଦ୍ରୌପଦୀ ହେବି’ ଆଦି ନାଟକ। ନାଟକ ଅନୁସାରେ କମେଡିକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରନ୍ତି ଏହି ଚର୍ଚ୍ଚିତ କମେଡି ଯୋଡ଼ି।

Share