Categories: ଖେଳ

ନିଃସର୍ତ୍ତ କ୍ଷମା ମାଗିଲେ କାର୍ତ୍ତିକ

ନୂଆଦିଲ୍ଳୀ,୮।୯(ପି.ଟି.)- ଭାରତୀୟ ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। କିଛି ଦିନ ତଳେ କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଏକ ମ୍ୟାଚକୁ ସେ ଶାହରୁଖ ଖାଁଙ୍କ ଦଳ ତ୍ରିନବାଙ୍ଗୋ ନାଇଟ୍‌ ରାଇଡର୍ସ(ଟିକେଆର) ଡ୍ରେସିଂରୁମ୍‌ରୁ ଦେଖି ବିସିସିଆଇ ସେଣ୍ଟ୍ରାଲ କ୍ଲଜ୍‌ର ଉଲ୍ଲଂଘନ କରିଥିଲେ। ଫଳରେ ବୋର୍ଡ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ଏଥିପାଇଁ ତାଙ୍କ କେନ୍ଦ୍ରୀୟ ଚୁକ୍ତିକୁ କାହିଁକି ବାତିଲ କରାଯିବ ନାହିଁ ବୋଲି ନୋଟିସ୍‌ରେ ପ୍ରଶ୍ନ କରାଯାଇଥିଲା। ଏବେ କାର୍ତ୍ତିକ ନିଜ ଭୁଲ ହୃଦୟଙ୍ଗମ କରି କ୍ଷମା ମାଗିଛନ୍ତି।
କାର୍ତ୍ତିକ ଇଣ୍ଡିଆ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ(କେକେଆର)ର ଅଧିନାୟକ ରହିଛନ୍ତି। ତେବେ ଦଳର କୋଚ୍‌ ବ୍ରେଣ୍ଡନ ମ୍ୟାକୁଲମଙ୍କ ପରାମର୍ଶ କ୍ରମେ ସେ ପୋର୍ଟ ଅଫ୍‌ ସ୍ପେନ ଯାଇ ଟିକେଆର ଜର୍ସି ପିନ୍ଧି ଏହି ମ୍ୟାଚ୍‌ ଦେଖିଥିଲେ। ଏହି ମ୍ୟାଚ୍‌ ଦେଖିବା ପାଇଁ ବିସିସିଆଇର ଅନୁମତି ନେଇ ନ ଥିବାରୁ ଏକ ଚିଠି ମାଧ୍ୟମରେ କ୍ଷମା ମାଗିଛନ୍ତି। ଟିକେଆରର କୌଣସି କାର୍ଯ୍ୟକଳାପରେ ମୁଁ ସାମିଲ ନାହିଁ ଓ ଏହି ଦଳ ପାଇଁ କେବେ ମ୍ୟାଚ୍‌ ଖେଳି ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ବାକି ମ୍ୟାଚ୍‌ଗୁଡିକରେ ଟିକେଆର ଡ୍ରେସିଂ ରୁମ୍‌ରେ ବସିବେ ନାହିଁ ବୋଲି ୩୪ ବର୍ଷୀୟ କାର୍ତ୍ତିକ ବିସିସିଆଇକୁ କଥା ଦେଇଛନ୍ତି। କାର୍ତ୍ତିକ ନିଃସର୍ତ୍ତ କ୍ଷମା ମାଗିଥିବାରୁ ପ୍ରଶାସକ କମିଟି (ସିଓଏ) ଏହି ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

Share