ନାୟିକାର ନଁ। ଟିକିନା

ପ୍ରଥମେ କମେଡି ତା’ପରେ ମୁଖ୍ୟ ଭୂମିକା। ନିଜର ଦାୟିତ୍ୱକୁ ବେଶ୍‌ ସୂଚାରୁ ରୂପରେ ତୁଲାଇ ଜଲିଉଡ୍‌ରେ ନିଜକୁ ଜଣେ ଆଗଧାଡ଼ିର ଅଲରାଉଣ୍ଡର ନାୟିକା ଭାବରେ ପରିଚିତ କରାଇପାରିଛନ୍ତି ସେ। ରୋଲ୍‌ ରୋମାଣ୍ଟିକ ହେଉ ଅବା ଇମୋଶନାଲ-ସେଗୁଡ଼ିକରେ ସେ ଶତ ପ୍ରତିଶତ ସକ୍‌ସେସ ହୋଇଛନ୍ତି। ଏହି ନାୟିକା ଜଣକ ହେଲେ ଟିକିନା। ମାତ୍ର ୧୨ ବର୍ଷ ବୟସରେ ମଞ୍ଚ ଉପରେ ଟିକିନା ପାଦ ଦିଅନ୍ତି। ଜୟଦୁର୍ଗା ଗଣନାଟ୍ୟରେ ତାଙ୍କୁ ମିଳିଥିବା ସୁଯୋଗକୁ ଆଦୌ ହାତଛଡ଼ା କରି ନ ଥିଲେ ଟିକିନା। ତା’ପରେ ଓଡ଼ିଶା ଅପେରା, ଶିବାନୀ ଗଣନାଟ୍ୟ, ମା’ ତାରିଣୀ, ରଙ୍ଗମହଲ, ଇଷ୍ଟର୍ନ ରେଡ୍‌, ସ୍ବର୍ଣ୍ଣମହଲରେ ଅଭିନୟ କରିବା ପରେ ଏବେ ବିଶ୍ୱଦରବାରରେ ଅଭିନୟ ଜାରି ରଖିଛନ୍ତି। ବିଶେଷଭାବରେ କମେଡ଼ି ଚରିତ୍ରରେ ନିଜର ଦମ୍‌ ଦେଖାଇବା ପରେ ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି ତାଙ୍କୁ ନାୟିକା ସାଜିବାର ସୁଯୋଗ ମିଳିଥିଲା। ତା’ପରେ ଯାହା ଘଟିଥିଲା ତାହା ଇତିହାସ। ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କେତେ ପ୍ରଭାବିତ କରିଛି ତାହାର ଉଦାହରଣ ମଧ୍ୟରେ ରହିଥିବା ପ୍ରମୁଖ ନାଟକଗୁଡ଼ିକ ହେଲା ‘ଫଗୁଣ ଦେଇଛି ପହିଲି ଚିଠି, ଶୂନ ଫୋଟକା, ବେତାଳ କଥା, ଆକାଶ କଇଁଆ ଚିଲିକା ମାଛ, ବର୍ଷା ରାତିର ସାଥୀ, ତୁମ କଥା ଭାରି ମନେ ପଡୁଛି ଏବଂ ଗୁପ୍ତ ସମ୍ପର୍କ’। ଅଭିନୟ ଜୀବନର ବର୍ଷ କେଇଟା ପରେ ଖଳନାୟକ ଶୁଭେନ୍ଦୁଙ୍କ ସହ ଘର ସଂସାର କରିଥିଲେ ଟିକିନା। ତେବେ ଦର୍ଶକଙ୍କୁ ନିଜ ଅଭିନୟ ମାୟାରେ ବାନ୍ଧି ରଖିଥିବା ଟିକିନା ଭବିଷ୍ୟତରେ ଜଲିଉଡ୍‌ରେ କି କମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share