ନାୟକ ହେବାପାଇଁ ପିଲାବେଳୁ ଇଚ୍ଛା ଥିଲା

ଜଣେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ‘ତୁ ମୋ ଲଭ୍‌ଷ୍ଟୋରି’ ଫିଲ୍ମରେ ମୁଖ୍ୟ ନାୟକ ଭାବେ ନଜରକୁ ଆସିଥିଲେ ସ୍ବରାଜ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚୁଲ୍‌ବୁଲ୍‌ ନାୟକ ଭାବେ ଜଣାଶୁଣା ସ୍ବରାଜଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର।
ଧାରାବାହିକ, ଫିଲ୍ମରେ ଆମେ ଶିଶୁ କଳାକାରଭାବେ ଆପଣଙ୍କୁ ଦେଖିଥିଲୁ। ଏବେ ମୁଖ୍ୟ ନାୟକଭାବେ ଦେଖୁଛୁ। କ’ଣ ତଫାତ୍‌ ରହୁଛି?
ଆକାଶ ପାତାଳ ଫରକ ଅଛି। ଯେତେବେଳେ ଶିଶୁ କଳାକାରଭାବେ ଅଭିନୟ କରୁଥିଲି, ସେତେବେଳେ ମନରେ ଡର ନ ଥିଲା। ଫିଲ୍ମ କ’ଣ ଜାଣିପାରୁ ନ ଥିଲି। କିଛି ଚିନ୍ତା ନ ଥିଲା। ବାସ୍‌ ଯାଇକି ଅଭିନୟ କରି ପଳେଇ ଆସୁଥିଲି। ହେଲେ ଏବେ ମୁଖ୍ୟନାୟକ ଭାବେ ଅଭିନୟ କରିବାପରେ ଲାଗୁଛି ଯେମିତି ପୂରା ଫିଲ୍ମର ବୋଝ ମୋ କାନ୍ଧ ଉପରେ ଅଛି। ତା’ର ଓଜନ ଅନୁଭବ ହେଉଛି। ତେବେ ଭଗବାନ୍‌ଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଯୋଗୁ ସବୁକିଛି ଠିକ୍‌ଠାକ୍‌ ଚାଲିଛି।
ନାୟକ ହେବାପାଇଁ ପିଲାବେଳୁ ଇଚ୍ଛା ଥିଲା ନା ଏମିତି ହେଉ ହେଉ ହୋଇଯାଇଥିଲେ?
ପିଲାବେଳୁ ଇଚ୍ଛା ଥିଲା। ଯେତେବେଳେ ଶିଶୁ କଳାକାର ଥିଲି, ସେତେବେଳେ ବହୁତ ଇଚ୍ଛା ଥିଲା ହିରୋ ହେବା ପାଇଁ। ସେତେବେଳେ ବି ମୁଁ ଚରିତ୍ର ବାଛିକି କରୁଥିଲି। ଅନୁଭବ ଭାଇ କେମିତି ଫାଇଟ୍‌ କରୁଛନ୍ତି, ବାବୁସାନ୍‌ ଭାଇ କେମିତି ଡ୍ୟାନ୍ସ କରୁଛନ୍ତି, ତାହା ଦେଖି ସେମିତି କରିବା ପାଇଁ ମୋ ମନରେ ବି ଉତ୍ସାହ ଆସୁଥିଲା।

Share