ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ପାଟପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିପୁର ଗ୍ରାମ ନିକଟ ମୁହାଣ ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିସ୍ତିପୁର ଗ୍ରାମ କିଶୋରନଗରର ବସନ୍ତ ଦାସ।
ପ୍ରକାଶ ଯେ, ବସନ୍ତ କିଛି ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଏକ କନ୍ୟାସନ୍ତାନ ଅଛନ୍ତି। ସେ ଦିନମଜୁରିଆ କାମକରି ପରିବାର ପ୍ରତିପୋଷଣ କରୁଥିଲେ। ଗୁରୁବାର ସକାଳୁ ବସନ୍ତ କୁଆଡ଼େ ଚାଲିଯାଇଥିଲେ। ରକ୍ଷାବନ୍ଧନ ଉତ୍ସବ ପାଇଁ ତାଙ୍କ ଭଉଣୀ ରାଖୀ ବାନ୍ଧିବାକୁ ଭାଇଘରକୁ ଆସିଥିଲେ। ଦିନସାରା ଅପେକ୍ଷା କରିଥିଲେ ମଧ୍ୟ ବସନ୍ତ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ଶୁକ୍ରବାର ଭୋର ପ୍ରାୟ ୬ ଟାରେ ନାଳକୁ ଶୌଚ ପାଇଁ ଯାଇଥିବା ଗ୍ରାମବାସୀ ବସନ୍ତଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି ରମେଶ କୁମାର ପ୍ରଧାନ କହିଛନ୍ତି।