ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡା ଅଫିସ,୨୯।୯: କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ହଜାରୀବଗିଚାର ଏକ ନାଳରୁ ନବଜାତ ଶିଶୁକନ୍ୟାର ମୃତଦେହ ରବିବାର ସକାଳେ ଉଦ୍ଧାର ହୋଇଛି। ସକାଳେ ମୃତଦେହ ନାଳରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଟାଉନ ଥାନାକୁ ଖବର ଦେଇଥିଲେ। ମାତ୍ର ପୋଲିସ ପହଞ୍ଚିବାରେ ବିଳମ୍ବ ହେବା ଦେଖି ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ଉଦ୍ଧାର ସ୍ଥାନଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ବହୁ ନର୍ସିଂହୋମ ରହିଥିବା ବେଳେ କେହି ବ୍ୟକ୍ତି ଏହି ଶିଶୁକନ୍ୟାକୁ ଭସାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି । ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।