ନାରୀ କୈନ୍ଦ୍ରୀକ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି ଦର୍ଶକେ: ଦୀପିକା ସବୁଠାରୁ ଦାମୀ ନାୟିକା

ମୁମ୍ବାଇ: ନିକଟରେ ବଲିଉଡ୍‌ ନାୟିକା ବିଦ୍ୟା ବଲାନ କହିଥିଲେ ଆଉ ସେହି ସମୟ ଦୂରରେ ନାହିଁ ଯେତେବେଳେ ନାରୀ କୈନ୍ଦ୍ରୀକ ଫିଲ୍ମ ୨ଶହରୁ ୫ଶହ କୋଟି ବ୍ୟବସାୟ କରିବ। ଏହା ଗୋଟିଏ ଦୃଷ୍ଟିରୁ ସତ ବୋଲି ମଧ୍ୟ କେହି କେହି କହିଲେଣି। ଏବେ ଦେଖାଯାଉଛି ନାରୀ କୈନ୍ଦ୍ରୀକ ଫିଲ୍ମ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ନିକଟରେ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ରିଲିଜ୍‌ ହୋଇଥିବା ବେଳେ ଅପେକ୍ଷାରେ ରହିଛି ‘ପଙ୍ଗା’ ଓ ‘ଶକୁନ୍ତଳା’। ଏହାମଧ୍ୟ ନାରୀ କେନ୍ଦ୍ରୀକ କାହାଣୀ ଉପରେ ଆଧାରିତ। ଏମିତି ଆହୁରି ୭ଟି ଫିଲ୍ମ ପ୍ରସ୍ତୁତ କରାଯାଉଛି ବୋଲି ଶୁଣିବାକୁ ମିଳିଛି। କେବଳ ସେତିକି ନୁହେଁ ନାରୀ କୈନ୍ଦ୍ରୀକ ଫିଲ୍ମ ନିର୍ମାଣ କରାଯିବା ସହ ଏବେ ନାୟିକାମାନଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି ପାଇଛି। ଆଉ ଏହି ରେସ୍‌ରେ ସବୁଠାରୁ ଆଗରେ ଅଛନ୍ତି ଦୀପିକା। ଏବେ କୁଆଡେ ସେ ଗୋଟିଏ ଫିଲ୍ମ ପାଇଁ ନେଉଛନ୍ତି ୨୬ କୋଟି ଟଙ୍କା। ନିକଟରେ କଙ୍ଗନା ରାନାଓ୍ବତ ମଧ୍ୟ ଗୋଟିଏ ଫିଲ୍ମ ପାଇଁ ୨୫ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ ବୋଲି କୁହାଯାଏ। ଏବେ ସମୟ ବଦଳିଛି। ପୂର୍ବରୁ କୁହାଯାଉଥିଲା ନାୟକ ନ ହେଲେ ଫିଲ୍ମ କରିବା ଅସମ୍ଭବ। ହେଲେ ଏବେ ଏହି ନାରୀ କୈନ୍ଦ୍ରୀକ ଫିଲ୍ମ କହୁଛି ନାୟକ ନୁହେଁ ନାୟିକାକୁ ନେଇ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରିପାରେ।

Share