ନାବାଳିକା ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୨୪।୯: ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌- ୨ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ଏକ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି କରିଛନ୍ତି। ପ୍ରମାଣ ଅଭାବରୁ ଅଭିଯୁକ୍ତ ବାବୁ ରାଉଳଙ୍କୁ ସେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ପ୍ରକାଶ ଯେ, ୨୦୧୭ ଜାନୁୟାରୀ ୨୩ରେ ଜଣେ ନାବାଳିକାଙ୍କୁ ନଳକୂପ ନିକଟରୁ ଅପହରଣ କରିନେଇ ବଳାତ୍କାର କରିଥିବା ପୀଡ଼ିତାଙ୍କ ମା’ ଗୋଶାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ କେସ୍‌ ନଂ. ୬/୧୭ ରେ ଏକ ମାମଲା ରୁଜୁକରି ଗୁଡ୍ସ ରୋଡ ତ୍ରିନାଥ ମନ୍ଦିରର ବାବୁ ରାଉଳଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ଉକ୍ତ ଥାନାର ତତ୍କାଳୀନ ଏସ୍‌ଆଇ ସୌଦାମିନୀ ବେହେରା ୨୦୧୭ ମାର୍ଚ୍ଚ୨୩ ତାରିଖରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲେ। ମଙ୍ଗଳବାର ଏହି ମାମଲାର ବିଚାରବେଳେ ୧୪ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ଉପଯୁକ୍ତ ପ୍ରମାଣ ଅଭାବରୁ ପୋକ୍ସୋ ଜଜ୍‌ ମହାନ୍ତି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ସାୟିଦ ଇକ୍‌ବଲ ଓ ସଂଜୀବ ବେହେରା ମକଦ୍ଦମା ପରିଚାଳନା କରୁଥିଲେ।