Categories: ଜାତୀୟ

ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ଜଲନ୍ଧର,୩।୬: ଜଲନ୍ଧର ସହରରେ ୮ବର୍ଷର ନାବାଳିକା ସହ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ପିଟି ପଟି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରବିବାର ଦିନ ଘରେ କେହି ନ ଥିବା ବେଳେ ନାବାଳିକା ଜଣଙ୍କ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ, ସେହି ଅଞ୍ଚଳରେ ରହୁଥିବା ଜଣେ ଯୁବକ ନିଶା ଅବସ୍ଥାରେ ପୀଡ଼ିତାଙ୍କ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। କିଛି ସମୟରେ ପରେ ପୀଡ଼ିତାଙ୍କ ମା’ ଘରକୁ ଆସି ଦେଖିବା ବେଳେ ଝିଅ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛି। ବହୁ ପଚରାଉଚରା କରିବା ପରେ ଭୟଭୀତ ଅବସ୍ଥାରେ ସମସ୍ତ ଘଟଣା ବାବଦରେ ପୀଡ଼ିତା ତାଙ୍କ ମା’ଙ୍କୁ କହିଥିଲେ। ଅପରପକ୍ଷରେ ପରିବାର ଲୋକେ ଏନେଇ ତାଙ୍କର ପଡ଼ୋଶୀଙ୍କୁ ଜଣାଇବା ପରେ ସମସ୍ତେ ଏକାଠି ହୋଇ ଅଭିଯୁକ୍ତଙ୍କ ଯୁବକଙ୍କ ଘରେ ପଶି ବହୁ ମାରପିଟ୍‌ କରିଥିଲେ। ଯୁବକଙ୍କୁ ମାଡ଼ ମାରିବା ପରେ ଅଭିଯୁକ୍ତଙ୍କୁ ରାମା ମଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଆହତ ଅବସ୍ଥାରେ ଅଭିଯୁକ୍ତଙ୍କୁ ହସ୍ପିଟାଲକୁ ନେଇଥିଲେ। ହେଲେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯୁବକଙ୍କ ଘର ବିହାରରେ ହୋଇଥିବା ବେଳେ ତାଙ୍କ ପରିବାରଙ୍କୁ ଖବର ଦିଆଯାଇଛି। ଏଥିସହ ପୋଲିସ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share