ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ କାରାଦଣ୍ଡ: ୨୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଜଣେ ୧୨ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଭୁବନେଶ୍ୱର ଏଡିଜେ-୪ ତଥା ପୋକ୍‌ସୋ କୋର୍ଟ ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି। ବିଚାରପତି ସତ୍ୟରଞ୍ଜନ ପ୍ରଧାନ ୧୨ଜଣ ସାକ୍ଷୀ ଓ ୨୨ ଡକ୍ୟୁମେଣ୍ଟ ଆଧାରରେ ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ନୀଳାଦ୍ରିବିହାର ପଣ୍ଡାପାର୍କର ସଞ୍ଜୟ ନାୟକ। ମାମଲାରୁ ପ୍ରକାଶ ଯେ, ପୀଡିତା ନାବାଳିକା ଜଣକ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ରହୁଥିଲେ। ୨୦୧୫ରେ ନାବାଳିକା ଜଣକ ନିଜ ଭାଇଙ୍କ ସହ ଘର ଆଗରେ ଖେଳୁଥିଲେ। ଅଭିଯୁକ୍ତ ସଞ୍ଜୟ ବାହାନା କରି ତାଙ୍କୁ ସାଇକେଲରେ ବସାଇ ବୁଲିବାକୁ ନେଇଥିଲେ। ଘରଠାରୁ କିଛି ଦୂର ଏକ ନିଛାଟିଆ ସ୍ଥାନରେ ତାଙ୍କୁ ବଳାତ୍କାର କରିଥିଲେ। ପୀଡିତା ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ଏନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ମହିଳା ଥାନା ପୋଲିସ୍‌ କେସ୍‌ ନଂ-୨୫୩/୧୫ ଦଫା ୩୭୬(ଆଇ)(୨) ଲଗାଇ ସଞ୍ଜୟଙ୍କୁ ଗିରଫ କରିଥିଲା।