ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା : ଶିକ୍ଷକ ଗିରଫ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଟ୍ୟୁସନ ଶିକ୍ଷକ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ସୋମବାର ଅଭିଯୋଗ ହୋଇଥିଲା। ଏଥିରେ ସଂପୃକ୍ତ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କୁ ପୋଲିସ ବୁଧବାର ଗିରଫ କରିଥିବା ବେଳେ ଫୁଲବାଣୀ ପୋକ୍‌ସୋ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି ବୋଲି ଆଇଆଇସି କୌଶିକ ମାଝି କହିଛନ୍ତି। ତାଙ୍କ ନାମରେ କେସ୍‌ ନଂ. ୯୬/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଜଣେ ଡିଏସ୍‌ପି ଏହି ମାମଲାର ତଦନ୍ତ କରୁଥିଲେ। ପ୍ରକାଶ ଯେ, ପ୍ରତିଦିନ ଭଳି ଛାତ୍ରୀ ଜଣଙ୍କ ଉକ୍ତଦିନ ଟ୍ୟୁସନ ପାଇଁ ଯାଇଥିଲେ। ତାଙ୍କୁ ସପୃକ୍ତ ଶିକ୍ଷକ ପ୍ରଶାନ୍ତ ଏକ କୋଠରୀକୁ ଡାକି ଅସଦାଚରଣ କରିଥିଲେ। ନାବାଳିକା ଜଣଙ୍କ ଘରକୁ ଫେରିଆସି ସମସ୍ତ ଘଟଣା ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।