Categories: ଗଞ୍ଜାମ

ନାବାଳିକା ଗର୍ଭବତୀ ଘଟଣା: ଅଭିଯୁକ୍ତ କୋର୍ଟ ଚାଲାଣ

ତୁମୁଡିବନ୍ଧ,୨୦ା୭(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ରାଙ୍ଗାପାରୁ ଏଜୁକେଶନ କମ୍ପ୍ଲେକ୍ସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ରୁତୁଙ୍ଗିଆ ପଞ୍ଚାୟତ ବଣ୍ଡଗୁଡା ଗ୍ରାମର ଅମୁଲ୍ୟ ପ୍ରଧାନୀ (୨୦)। ଶୁକ୍ରବାର ଏକ ମେଡିକାଲ ଟିମ୍‌ ଏଜୁକେଶନ କମ୍ପ୍ଲେକ୍ସରେ ପହଞ୍ଚତ୍ଥିବା ଜଣାପଡିଛି। ଖବରସଂଗ୍ରହ ପାଇଁ ଯାଇଥିବାବେଳେ ଖବରଦାତାମାନଙ୍କୁ କର୍ତ୍ତୃପକ୍ଷ ଛାଡି ନ ଥିଲେ। ଭିତରୁ ତାଲା ପକାଇଦେବା ସହ ଉପରିସ୍ଥ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ କହିଥିଲେ। ଗ୍ରୀଷ୍ମ ଛୁଟିପରେ ପ୍ରାୟ ମାସେହେଲା ବର୍ଭବତୀ ନାବାଳିକା ସେବାଶ୍ରମରେ ରହିଥିଲେ ମଧ୍ୟ ଦାୟିତ୍ୱରେ ଥିବା ମ୍ୟାଟ୍ରନ କିପରି ଜାଣିପାରିଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି। ଜିଲାରେ ବାରମ୍ବାର ଏପରି ଘଟଣା ଘଟୁଥିବାବେଳେ କେବଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଫଳରେ ଏହି ଘଟଣା ଉପରେ ରୋକ୍‌ ଲାଗିପାରୁନାହିଁ। ଏଥିସହ ଛାତ୍ରୀନିବାସ ପାଇଁ ଥିବା ଗାଇଡ୍‌ଲାଇନ ଫଲୋ କରାଯାଉନଥିବା ଜଣାପଡିଛି।
ପ୍ରକାଶ ଯେ, ଗତ ୧୬ ତାରିଖରେ ସମ୍ପୃକ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଡାକି ଫୁଲବାଣୀ ଜିଲା ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଛାତ୍ରୀଜଣକ ୪ମାସର ଗର୍ଭବତୀ ଥିବା ଡାକ୍ତରୀମାଇନାରୁ ଜଣାପଡିଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସିଂ ୧୭ ତାରିଖରେ ବେଲଘର ଥାନାରେ ଏନେଇ ଏତଲା ଦେଇଥିଲେ। ଛାତ୍ରୀଙ୍କୁ ପଚରାଉଚରାପରେ ଅମୁଲ୍ୟଙ୍କୁ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରପ୍ତ ଅଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି। କେକେଡିଏର ସ୍ବତନ୍ତ୍ର ଅଧିକାରୀ ଦାୟୀତ୍ୱରେଥିବା ତୁମୁଡିବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟଦେବ ଦାଶଙ୍କୁ ପଚାରିବାରୁ ମ୍ୟାଟ୍ରନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କାରାଯାଇଛି। ସମ୍ପୃକ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଅଛି, ତାଙ୍କୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ରଖାଯାଇଥିବା ପ୍ରକାଶ କରିଛନ୍ତି।