Categories: ଜାତୀୟ

ନାବାଳିକା ଗଣବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ,୩୧-୧:ଦିଲ୍ଲୀର ଏକ କୋର୍ଟ ନାବାଳିକା(୫) ଗଣବଳାତ୍କାର ମାମଲାରେ ୨ ଦୋଷୀ ମନୋଜ ଶାହା ଓ ପ୍ରଦୀପ କୁମାରଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୧୩ ଏପ୍ରିଲ ୧୫ରେ ପୂର୍ବ ଦିଲ୍ଲୀର ଗାନ୍ଧୀନଗରରେ ଏହି ଦୁଇ ଯୁବକ ବଳାତ୍କାର ପରେ ନାବାଳିକାର ଗୁପ୍ତାଙ୍ଗରେ କେତେକ ଆପତ୍ତିଜନକ ବସ୍ତୁ ପୂରାଇବା ସହ ସେ ମରିଯାଇଥିବା ଭାବି ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ। ଦୀର୍ଘ ୪୦ ଘଣ୍ଟା ପରେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଘଟଣାର ସପ୍ତାହକ ମଧ୍ୟରେ ବିହାରରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶୁଣାଣି ଚାଲିଥିଲା। ଏହି ଘଟଣାରେ ଗତ ୧୮ ତାରିଖରେ କୋର୍ଟ ଅଭିଯୁକ୍ତ ମନୋଜ ଶାହା ଓ ପ୍ରଦୀପ କୁମାରଙ୍କୁ ଦୋଷୀ ଭାବେ ଚିହ୍ନଟ କରିଥିଲେ। ଅତିରିକ୍ତ ସେସନ୍ସ ଜଜ୍‌ ନରେଶ୍‌ କୁମାର ମାଲ୍‌ହୋତ୍ରା ଆଇପିସିର ଦଫା ୩୬୩, ୩୪୨, ୨୦୧, ୩୦୪, ୩୭୭, ୩୪ ସହ ପୋକ୍ସୋ ଆଇନରେ ଦୋଷୀ ଦ୍ୱୟଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।

Share