Categories: ଜାତୀୟ

ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲା:ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨।୮(ପି.ଟି.):ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ଅପରାଧୀ ମନୋହରନ୍‌ଙ୍କ ମୃତ୍ୟୁଦଣ୍ଡାଦେଶକୁ ଗୁରୁବାର କାଏମ ରଖିଛନ୍ତି। ୨୦୧୦ରେ କୋଏମ୍ବାଟୁର୍‌ରେ ଜନୈକା ୧୦ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କୁ ଓ ତାଙ୍କ ୭ ବର୍ଷର ସାନଭାଇଙ୍କୁ ହାତଗୋଡ଼ ବାନ୍ଧି କେନାଲରେ ଫିଙ୍ଗି ହତ୍ୟା କରାଯାଇଥିଲା। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହାକୁ ଅତି ନିର୍ଦ୍ଦୟ ଓ ଅମାନୁଷିକ ବୋଲି କହିବା ସହ ତଳକୋର୍ଟ ଓ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏହି ଅପରାଧ ବିରଳରୁ ବିରଳତମ ବର୍ଗରେ ଯାଉଥିବା ଖଣ୍ଡପୀଠ କହିଛନ୍ତି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ, ୨୦୧୨ ଉପରେ ୨୦୧୮ରେ ହୋଇଥିବା ସଂଶୋଧନକୁ ଧ୍ୟାନରେ ରଖି ରାୟ ପ୍ରକାଶ କରିଛନ୍ତି।
୨୦୧୦ ଅକ୍ଟୋବର ୨୯ରେ ନାବାଳିକା ଓ ତାଙ୍କ ସାନଭାଇ ସ୍କୁଲ ଯାଉଥିବାବେଳେ ମନ୍ଦିର ବାହାରୁ ସେମାନଙ୍କୁ ମନ୍ଦିର ପୂଜକ ମୋହନକ୍ରିଷ୍ଣନ ଓ ମନୋହରନ୍‌ ଉଠାଇନେଇଥିଲେ। ସେମାନେ ଉଭୟଙ୍କ ହାତ ବାନ୍ଧି ଦେଇ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ। ପରେ ସେମାନେ ଉଭୟଙ୍କୁ ବିଷଦେଇ ମାରିବାକୁ ଉଦ୍ୟମ କରିଥିଲେ। ସେଥିରେ ମୃତ୍ୟୁ ନ ହେବାରୁ ହାତବନ୍ଧା ଅବସ୍ଥାରେ ସେମାନଙ୍କୁ ପରାମ୍ବିକୁଲମ୍‌-ଅକ୍ଷର ପ୍ରୋଜେକ୍ଟ କେନାଲରେ ଫିଙ୍ଗିଦେଇଥିଲେ। ପୋଲିସ୍‌ ଏନ୍‌କାଉଣ୍ଟରରେ ମୋହନ କ୍ରିଷ୍ଣନ୍‌ ନିହତ ହୋଇଥିଲେ। ମନୋହରନଙ୍କୁ ଅପହରଣ, ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ତଳକୋର୍ଟ ମନୋହରନ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ ମାଡ୍ରାସ ହାଇକୋର୍ଟ ତାହାକୁ କାଏମ ରଖିଥିଲେ। ତିନି ଜଣିଆ ଖଣ୍ଡପୀଠରେ ଅନ୍ୟ ଜଣେ ସଦସ୍ୟ ଜଷ୍ଟିସ୍‌ ଖାନ୍‌ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପରିବର୍ତ୍ତେ ଅବଶିଷ୍ଟ ଜୀବନ ଜେଲ୍‌ରେ କଟାଇବା ସପକ୍ଷରେ ମତ ଦେଇଥିବାବେଳେ ଅନ୍ୟ ଦୁଇ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ସଞ୍ଜୀବ ଖାନ୍ନା ମୃତ୍ୟୁଦଣ୍ଡକୁ ସମର୍ଥନ କରିଥିଲେ।

Share