ନାବାଳିକାଙ୍କ ବିବାହ ଯୋଜନା ଧରାପଡ଼ିଲା, ୩ଗିରଫ

ବୌଦ୍ଧ, ୨୯ା୪(ସ୍ବ.ପ୍ର)-ଜଣେ ନାବାଳିକାଙ୍କ ବିବାହ ଯୋଜନା ପୋଲିସ ହାତରେ ଧରାପଡିଛି ା ଏହି ବିବାହରେ ବ୍ୟବହୃତ କାର ପାଇଁ ଜାଲ୍‌ ପାସ୍‌ ବ୍ୟବହାର କରାଯାଇଥିବା ଘଟଣା ସାମ୍‌ନାକୁ ଆସିବା ପରେ ପୋଲିସ ୩ଜଣଙ୍କୁ ଗିରଫ କରିଛି ା ସେମାନେ ହେଲେ କାର ମାଲିକ ବୌଦ୍ଧ ନାରାୟଣପୁର ଗଁାର ଅର୍ଜୁନ ପୃଷ୍ଟି, ଜନସେବା କେନ୍ଦ୍ରର ମାଲିକ ଅରୁଣ କୁମାର ମହାପାତ୍ର ଓ କାର୍‌ ଚାଳକ ପଳାସ ଗ୍ରାମର ଜିତେନ୍ଦ୍ର ଦ୍ୱାରି ା ପୋଲିସ ବ୍ୟବହୃତ କାର୍‌କୁ ଜବତ କରି ତଦନ୍ତ ଜାରି ରଖିଛି ା ଉକ୍ତ ଘଟଣା ପରେ ସମ୍ପୃକ୍ତ ନାବାଳିକାଙ୍କ ବିବାହ ଅଟକିଛି ା
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ବୌଦ୍ଧ ପୋଲିସ ପକ୍ଷରୁ ସହରର ବ୍ରିଜ ଛକରେ ଗାଡ଼ି ମୋଟର ଚଳାଚଳର ତନଖି କରାଯାଉଥିଲା ା ଏହି ସମୟରେ ଏକ ପାସ୍‌ ଲାଗିଥିବା ଏକ କାର (ନଂ.ଓଡି-୨୭-୮୬୮୬) ସୋନପୁର ଆଡକୁ ଯାଉଥିଲା। ପୋଲିସ କର୍ମଚାରୀ ଉକ୍ତ ଗାଡିକୁ ଅଟକାଇ ଥିଲେ। ଗାଡି ଭିତରେ ୫ଜଣ ବସିଥିଲେ। ପଚରାଉଚରା ବେଳେ ଏକ ବିବାହ କାର୍ଯ୍ୟରେ କନ୍ୟା ଓ ତାଙ୍କ ପରିବାର ଲୋକଙ୍କୁ ଧରି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଇଚ୍ଛାପୁର ଗ୍ରାମକୁ ଯାଉଥିବା ଡ୍ରାଇଭର ପ୍ରକାଶ କରିଥିଲେ। ହେଲେ ଗାଡ଼ି ପାସ୍‌ରେ ମେଡିକାଲ କାମରେ ଯାଉଥିବା ଉଲ୍ଲେଖ ଥିବାରୁ ପୋଲିସ ଗାଡ଼ି ସହ ସମସ୍ତ ଯାତ୍ରୀଙ୍କୁ ବୌଦ୍ଧ ଥାନାକୁ ଆଣିଥିଲା। ତଦନ୍ତ ପରେ ବିିବାହ କରିବାକୁ ଯାଉଥିବା କନ୍ୟା ଜଣକ ନାବାଳିକା ଥିବା ଜଣାପଡିଥିଲା ା ଏହାପରେ ପୋଲିସ ଗାଡିରେ ଥିବା ନାବାଳିକାଙ୍କ ବିବାହ ରୋକିଥିଲା ା ଏହାପରେ ପୋଲିସ ଗାଡିରେ ଲାଗିଥିବା ପାସ୍‌ର ବୈଧତା ନେଇ ଖୋଳତାଡ ଆରମ୍ଭ କରିଥିଲା ା ଏହା ଜାଲ୍‌ ଥିବା ଏବଂ ବୌଦ୍ଧ ସହରର ରାମମନ୍ଦିର ନିକଟ ଜନସେବା କେନ୍ଦ୍ରରେ ପ୍ରସ୍ତୁତ କରାଯାଇଥିବା ଜଣାପଡିଥିଲା। ଗାଡି ମାଲିକ ପୃଷ୍ଟି ନିଜ ତ୍ରୁଟି ସ୍ବୀକାର କରିବା ପରେ ପୋଲିସ ଜନସେବା କେନ୍ଦ୍ରର ମାଲିକ ମହାପାତ୍ରଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିଥିଲା ା ସେ ମଧ୍ୟ ଜାଲ୍‌ ପାସ୍‌ ପ୍ରସ୍ତୁତ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଏନେଇ ବୌଦ୍ଧ ପୋଲିସ ପକ୍ଷରୁ ଜାଲ୍‌ ପାସ୍‌ ପ୍ରସ୍ତୁତି ଓ କରୋନା କଟକଣା ଉଲ୍ଲଂଘନ ନେଇ ଏକ ମାମଲା (ନଂ.୧୧୨/୨୦)ରୁଜୁ କରାଯାଇଛି। ଗାଡି ମାଲିକ ପୃଷ୍ଟି, ଡ୍ରାଇଭର ଦ୍ୱାରି ଓ ଜନସେବା କେନ୍ଦ୍ର ମାଲିକ ମହାପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପସ୍ବିନୀ କହଁର କହିଛନ୍ତି ା